ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ନିକଟସ୍ଥ ମହାନଦୀରେ ଶୁକ୍ରବାର ହୋଇଥିବା ଡଙ୍ଗା ବୁଡ଼ି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ନାବାଳକ ସାମିଲ ଅଛନ୍ତି। ମୃତକମାନେ ଛତିଶଗଡ଼ର ନିବାସୀ। ଏହି ଘଟଣାରେ ଏବେ ବି ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଛତିଶଗଡ଼ର କୋରବା ଜିଲ୍ଲା ଟପରା ଗାଁର ୫୦ ଜଣ ଲୋକ ବରଗଡ଼ ଜିଲ୍ଲା ବାଞ୍ଜିପାଲିସ୍ଥିତ ପଥରସେଣୀ ମନ୍ଦିରକୁ ଯାଇଥିଲେ। ସେଠାରୁ ଦର୍ଶନ ସାରି ସେମାନେ ଡଙ୍ଗା ମାଧ୍ୟମରେ ଫେରୁଥିଲେ। ଏଥିରେ ଅନେକ ମହିଳା ଏବଂ ଶିଶୁ ଥିଲେ। ତେବେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଯାଉଥିବାବେଳେ ଡଙ୍ଗାଟି ଓଲଟି ପଡ଼ିଥିଲା।

ଡଙ୍ଗା ଓଲଟି ପଡ଼ିବାପରେ କିଛି ଲୋକ ନଦୀରେ ପହଁରି ନିଜ ଜୀବନ ବଞ୍ଚାଇଥିଲେ। ତେବେ ଅନ୍ୟ ଲୋକଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ। ତେବେ ଏହି ଘଟଣାରେ ୭ ଜଣ ଯାତ୍ରୀ ନିଖୋଜ ହୋଇଯାଇଥିଲେ। ଏହାପରେ ପୋଲିସ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ତେବେ ଉଦ୍ଧାର ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ନିଖୋଜ ହୋଇଥିବା ଯାତ୍ରୀମାନଙ୍କୁ ଖୋଜିବା ପାଇଁ ଓଡ୍ରାଫର ଡାଇଭିଂ ଟିମକୁ ମୁତୟନ କରାଯାଇଥିଲା। ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଶନିବାର ସକାଳେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଏହି ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ମୃତକମାନଙ୍କ ପରିବାର ବର୍ଗଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଛତିଶଗଡ଼ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଏବଂ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏହି ବୋଟ୍ ଟ୍ରାଜେଡିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।    

ପ୍ରାଥମିକ ତଦନ୍ତ ଅନୁସାରେ ଡଙ୍ଗାଟି ପୁରୁଣା ଥିଲା ଏବଂ ଓଭରଲୋଡିଂ ଯୋଗୁଁ ବୁଡ଼ିଥିବା କୁହାଯାଉଛି। ଏହାସହ ଏଥିରେ କୌଣସି ଲାଇଫ୍ ଜାକେଟ୍ ମଧ୍ୟ ନଥିଲା। ଏହାସହ ଯାତ୍ରୀଙ୍କ ସହ ଡଙ୍ଗାରେ କିଛି ବାଇକ୍ ମଧ୍ୟ ଥିବା ସ୍ଥାନୀୟ ଲୋକେ କହିଛନ୍ତି।   

Tags: #MahanadiBoatTragedy #Mahanadi #Jharsuguda #Passengers #Chhattisgarh

LEAVE A REPLY

Please enter your comment!
Please enter your name here