ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିସ୍ଥାପିତ ଲୋକମାନଙ୍କୁ ଜମିପଟ୍ଟା ଦେଇଛନ୍ତି ରାଜ୍ୟ ସରକାର। ଏଥିରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଓ ଗଞ୍ଜାମ ଜିଲ୍ଲାର ସୋରଡ଼ା ତହସିଲର ଅନେକ ବିସ୍ଥାପିତ ପରିବାର ଜମି ପାଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।

ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲର ୧୮ଟି ରାଜସ୍ୱ ଗ୍ରାମରୁ ୭ଟି ଗ୍ରାମରେ ସର୍ଭେ ପରେ ୮୬୬ଟି ବିସ୍ଥାପିତ ପରିବାରମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଅନ୍ୟପଟେ ଲଖନପୁରରେ ବାକି ୧୧ଟି ଗାଁରେ ସର୍ଭେ ପରେ ମୋଟ ୧୩୩୯ଟି ପରିବାରଙ୍କୁ ଜମିପଟ୍ଟା ଦିଆଯିବାର ଯୋଜନା କରାଯାଇଛି।   

ହୀରାକୁଦ ବନ୍ଧର ନିର୍ମାଣ ସମୟରେ ଲଖନପୁରର ଏହି ସବୁ ପରିବାର ନିଜର ପୈତୃକ ଜମି ହରାଇ ବିସ୍ଥାପିତ ହୋଇଥିଲେ। ଏଥିପାଇଁ ସେମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ।

ସେହିପରି ଝାରସୁଗୁଡ଼ା ପରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ତହସିଲର ୯୬୨ ଜଣଙ୍କୁ ଘରଡିହ ପଟ୍ଟା ଓ ୭୦୦ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ୧୮୯୬ ମସିହାରେ ବ୍ରିଟିଶ ଅମଳରେ ସୋରଡ଼ା ଜଳଭଣ୍ଡାର ନିର୍ମାଣ ସମୟରେ ଏହି ପରିବାରମାନେ ନିଜର ଜମି ହରାଇଥିଲେ। ୧୦୦ ବର୍ଷରୁ ଅଧିକ ସମୟ ପରେ ଏବେ ସେମାନଙ୍କୁ ଜମିପଟ୍ଟା ଦିଆଯାଇଛି।

୧୯୮୩ ମସିହାରେ ସୋରଡ଼ା ତହସିଲର ୨୨ଟି ଗାଁର ଜମି ଜଳସଂପଦ ବିଭାଗ ନାମରେ ରେକର୍ଡ ହୋଇଥିଲା। ୧୭ଟି ଗାଁରେ ସର୍ଭେ ପରେ ଏହାର ଜମି ରାଜସ୍ଵ ବିଭାଗକୁ ଯାଇଛି ଏବଂ ସେଗୁଡ଼ିକର ବନ୍ଦୋବସ୍ତ କରାଯାଉଛି।

“ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସରକାର ସବୁବେଳେ ଉଦ୍ୟମ କରିଆସିଛି। ଜମିପଟ୍ଟା ପାଇବା ଦ୍ଵାରା ଲୋକମାନେ ବିଭିନ୍ନ ସରକାରୀ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବେ। ସେମାନଙ୍କ ଖୁସି ହିଁ ଆମର ସବୁଠୁ ବଡ଼ ସଫଳତା”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ଦିଆଯାଇଥିଲା। ତେବେ ଆଉ ୧୮ ହଜାର ହିତାଧିକାରୀ ଗ୍ରାମକଣ୍ଠ ପଟ୍ଟା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ, ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ଆସ୍କା ସାଂସଦ ପ୍ରମିଳା ବିଶୋୟୀ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଏବଂ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।     

Tags: #LandRecords #DisplacedFamilies #Jharsuguda #Ganjam #Odisha

Comment