ଓଡ଼ିଶାଲାଇଭ୍ ବ୍ୟୁରୋ

  • ପଞ୍ଚାୟତ ପୋଖରୀରେ ମାଛଚାଷ କରି ସ୍ୱାବଲମ୍ବୀ ଏସଏଚଜି ମା’
  • ବାୟୋଫ୍ଲକ ପଦ୍ଧତି ଓ ନୂତନ ପୋଖରୀ ଖୋଳାକୁ ପ୍ରାଥମିକତା
  • ଛେଳି ଓ ବ୍ରଏଲର କୁକୁଡ଼ା ପାଳନ ଲାଗି ଓମ୍ବାଡସିର ସହାୟତା

ଲୋକମାନଙ୍କ ଜୀବନ ଧାରଣ ମାନରେ ବିଶେଷ ଉନ୍ନତି ଆଣିବା ଲାଗି ଦୀର୍ଘସ୍ଥାୟୀ ଜୀବିକାର ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଛଚାଷ ଓ ପ୍ରାଣୀ ପାଳନ ଭଳି ଜୀବିକା କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦିଆଯାଉଛି। ଖଣି ପ୍ରଭାବିତ ଝାରସୁଗୁଡ଼ା ଜିଲ୍ଲାରେ ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଯୋଗୁଁ ଆଦିବାସୀ ବର୍ଗର ହିତାଧିକାରୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଲାଭବାନ ହେଉଛନ୍ତି।  

ମାଛ ହେଉଛି ଏକ ଲାଭଜନକ ଚାଷ। ଝାରସୁଗୁଡ଼ା ଜିଲ୍ଲାରେ ଏହି ଚାଷ ପାଇଁ ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ନୂତନ ପୋଖରୀ ଖନନ ସହିତ ଆଧୁନିକ ବାୟୋଫ୍ଲକ୍ ପଦ୍ଧତି ଓ ପଞ୍ଚାୟତ ପୋଖରୀରେ ମାଛ ଚାଷ ଲାଗି ଓମ୍ବାଡସି ସହାୟତା ଯୋଗାଇ ଦେଉଛି।

ବାୟୋଫ୍ଲକ୍ ଟେକ୍ନୋଲୋଜିରେ ମାଛ ଚାଷ ଅଧିକ ରୋଜଗାରର ବାଟ ଫିଟାଇଛି। ଏହି ପଦ୍ଧତିକୁ ଆପଣାଇ ଝାରସୁଗୁଡ଼ା ଜିଲ୍ଲାର ୩୪ ଜଣ ହିତାଧିକାରୀ ୬୮ଟି ଟାଙ୍କିରେ ମାଛ ଚାଷ କରିଛନ୍ତି। ସେହିପରି ଓମ୍ବାଡସି ସହାୟତାରେ ମାଛ ଚାଷ ପାଇଁ ନୂତନ ପୋଖରୀ ଖୋଳାକୁ ପ୍ରୋତ୍ସାହନ ଦିଆଯାଉଛି। ୨୭ ଜଣ ହିତାଧିକାରୀ ୨୨.୧୫ ଏକର ଜମିରେ ପୋଖରୀ ଖୋଳି ଲାଭବାନ ହେଉଛନ୍ତି।

‘‘ଗ୍ରାଜୁଏସନ ଶେଷ କରିବା ପରେ ଗାଁରେ ରହି ମୁଁ ବାୟୋଫ୍ଲକ୍ ପଦ୍ଧତିରେ ମାଛଚାଷ କରୁଛି। ଏଥିରୁ ମାସକୁ ୧୦ରୁ ୧୫ ହଜାର ଟଙ୍କା ରୋଜଗାର ହେଉଛି। ଏଥିରେ ମୁଁ ମୋ ଘର ଚଳାଉଛି। ଆଗକୁ ଏହି ମାଛଚାଷକୁ ବ୍ୟାପକ କରିବାକୁ ମୁଁ ଲକ୍ଷ୍ୟ ରଖିଛି’’, କହିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ ରଙ୍ଗିଆଟିକ୍ରା ଗାଁର ପ୍ରକାଶ ରୋହିଦାସ। ଏଥିପାଇଁ ସେ ଓମ୍ବାଡସିକୁ ଧନ୍ୟବାଦ ଦେଇଛନ୍ତି।

ମାଛଚାଷ ଭଳି ଅଣପାରମ୍ପରିକ କ୍ଷେତ୍ର ସହ ଯୋଡ଼ି ହୋଇଛନ୍ତି ଏସଏଚଜି ମା’। ଗ୍ରାମପଞ୍ଚାୟତ ପୋଖରୀରେ ମାଛଚାଷ କରି ଜିଲ୍ଲାର ୧୬୮ଟି ଏସଏଚଜି ସ୍ୱାବଲମ୍ବୀ ହୋଇଛନ୍ତି। ମାଛଚାଷ ପାଇଁ ଜିଲ୍ଲା ମତ୍ସ୍ୟ ନିର୍ଦ୍ଦେଶାଳୟ ତରଫରୁ ହିତାଧିକାରୀମାନଙ୍କୁ ତାଲିମ ଓ ବୈଷୟିକ ସହାୟତା ପ୍ରଦାନ କରାଯାଉଛି।

‘‘ଆଗରୁ ଆମେ ପାରମ୍ପରିକ କାମ କରୁଥିଲୁ। ଏବେ ପୋଖରୀରେ ମାଛଚାଷ କରୁଛୁ। ଓମ୍ବାଡସି ପାଣ୍ଠି ସହାୟତାରେ ଆମେ ଯେଉଁ ସହାୟତା ପାଇଥିଲୁ ସେଥିରେ ପୋଖରୀ ସଫା କରିବା ସହ ମାଛ ଯାଆଁଳ କିଣିଥିଲୁ। ତା’ଛଡ଼ା ଚୂନ ଓ ମାଛ ଦାନା ମଧ୍ୟ କିଣିଥିଲୁ। ମାଛଚାଷରୁ ଯାହା ଲାଭ ହେଉଛି ସେଥିରେ ଆମେ ଖୁସିରେ ଅଛୁ’’, କହିଛନ୍ତି ଝାରସୁଗୁଡ଼ା ବ୍ଲକ୍ କୁକୁଜଙ୍ଘା ଗ୍ରାମର ଏସଏଚଜି ସଦସ୍ୟା ବାସନ୍ତୀ କାଲୋ।

ଓମ୍ବାଡସିର ଜୀବିକା କାର୍ଯ୍ୟକ୍ରମ ଭିତରେ ଛେଳି ଓ ବ୍ରଏଲର କୁକୁଡ଼ା ପାଳନ ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏହା ଅଧୀନରେ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ୫ଟି ବ୍ଳକରେ ଏହି କାର୍ଯ୍ୟକ୍ରମ ଚାଲିଛି। ଛେଳି କିଣିବାଠୁ ଆରମ୍ଭ କରି ସେମାନଙ୍କ ରହିବା ଲାଗି ଫାର୍ମ ନିର୍ମାଣ ପର୍ଯ୍ୟନ୍ତ ଓମ୍ବାଡସି ସହାୟତା ଦେଉଛି। ସେହିପରି ୨୦୦ କ୍ଷମତା ବିଶିଷ୍ଟ ବ୍ରଏଲର କୁକୁଡ଼ା ଫାର୍ମ ମଧ୍ୟ ନିର୍ମାଣ କରାଯାଉଛି।

‘‘ଆଗରୁ ମୁଁ କେବଳ ଧାନଚାଷ କରୁଥିଲି। ବର୍ଷକୁ ଯାହା ରୋଜଗାର ହେଉଥିଲା ସେଥିରେ ଚଳିବା କଷ୍ଟକର ହୋଇଯାଉଥିଲା। ଏବେ ମୁଁ ଧାନଚାଷ ସହିତ ଓମ୍ବାଡସିରୁ ସହାୟତା ପାଇ ଛେଳି ପାଳନ କରୁଛି। ଫଳରେ ଆଗ ଅପେକ୍ଷା ମୁଁ ଭଲ ଦି’ପଇସା ପାଉଛି’’, କହିଛନ୍ତି ଲଇକେରା ବ୍ଲକ୍ ପାକେଲାପଡ଼ା ଗ୍ରାମର ପରମେଶ୍ୱର କିସାନ୍।

ନିୟମିତ ବ୍ୟବଧାନରେ ଜିଲ୍ଲା ପ୍ରାଣୀ ପାଳନ ବିଭାଗ ପକ୍ଷରୁ କୁକୁଡ଼ା ଓ ଛେଳିମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ଓ ଟିକା ପ୍ରଦାନ କରାଯାଉଛି। ଛେଳି ଓ କୁକୁଡ଼ାମାନଙ୍କୁ ସଫା ସୁତରା ପରିବେଶ ଭିତରେ ରଖିବା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

ଓମ୍ବାଡସି ସହାୟତାରେ ଖଣି ପ୍ରଭାବିତ ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଦେବଗଡ଼ ଜିଲ୍ଲା ଏବଂ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଳକରେ ମାଛ ଚାଷ ଏବଂ ଛେଳି ଓ କୁକୁଡ଼ା ପାଳନକୁ ଗୁରୁତ୍ୱ ଦିଆଯାଉଛି। ଫଳରେ ସ୍ଥାନୀୟ ଲୋକମାନଙ୍କ ଜୀବିକା ସୁନିଶ୍ଚିତ ହୋଇପାରୁଛି।

Tags: #OMBADC #FishFarming #AnimalHusbandry #Livelihood #TribalPeople #Jharsuguda #ଓମ୍ବାଡସି #ଜୀବିକାକାର୍ଯ୍ୟକ୍ରମ

Comment