ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ଓମ୍ବାଡସିର ପ୍ରୋତ୍ସାହନ

(ରାଉରକେଲା): ରାଉରକେଲାସ୍ଥିତ ସରକାରୀ ଆଇଟିଆଇ ଏବଂ ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ (ୟୁଜିଆଇଇ) ଏବେ ନୂଆ ରୂପ ପାଇଛି। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ସହାୟତାରେ ଏହି ଦୁଇଟି ତାଲିମ ଅନୁଷ୍ଠାନର ବିଭିନ୍ନ ଟ୍ରେଡକୁ ଆଧୁନିକୀକରଣ କରାଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ଶିଳ୍ପ ଉପଯୋଗୀ ତାଲିମ ନେଇ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ ପାଇପାରୁଛନ୍ତି।

ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଥିବା ସରକାରୀ ଆଇଟିଆଇ ଓ ଇଞ୍ଜିନିୟରିଂ ସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶ କାର୍ଯ୍ୟ ହାତକୁ ନେଇଛି ଓମ୍ବାଡସି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ଅଧୀନରେ ପରିଚାଳିତ ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ‘ରାଉରକେଲା ସରକାରୀ ଆଇଟିଆଇ’ ଏବଂ ‘ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂ’ର ଭିତ୍ତିଭୂମି ଉନ୍ନୟନ ସହ ତାଲିମ ପ୍ରଦାନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି।

ଏହି କାର୍ଯ୍ୟକ୍ରମ ଯୋଗୁଁ ଛାତ୍ରଛାତ୍ରୀମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କମ୍ପାନିରେ ନିଯୁକ୍ତି ପାଇପାରୁଛନ୍ତି। ୨୦୧୮ରୁ ୨୦୨୩ – ଏହି ୫ ବର୍ଷ ଭିତରେ ରାଉରକେଲା ସରକାରୀ ଆଇଟିଆଇ ଓ ୟୁଜିଆଇଇରୁ ଅତ୍ୟାଧୁନିକ ତାଲିମ ନେଇ ପ୍ରାୟ ୨,୫୦୦ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି।

ରାଉରକେଲା ସରକାରୀ ଆଇଟିଆଇରେ ରହିଛି ମୋଟ ୨୪ଟି ଟ୍ରେଡ୍। ଫିଟର, ଡିଜେଲ ମେକାନିକ, ଇଲେକ୍ଟ୍ରିସିଆନ, ୱେଲଡର ଏବଂ ମସିନିଷ୍ଟ ଆଦି ପ୍ରମୁଖ ଅତ୍ୟାଧୁନିକ ଟ୍ରେଡରେ ତାଲିମ ନେଉଛନ୍ତି ପ୍ରାୟ ୨,୧୦୦ ଛାତ୍ରଛାତ୍ରୀ। ଏହି କେନ୍ଦ୍ରରେ ଓମ୍ବାଡସି ସହାୟତାରେ ସ୍ମାର୍ଟ କ୍ଲାସରୁମ୍ ଓ ଆଇଟି ଲ୍ୟାବକୁ ଆଧୁନିକ ରୂପ ଦିଆଯାଇଛି।

‘‘ଆମ ଆଇଟିଆଇ କେନ୍ଦ୍ରର ଆଇଟି ଲ୍ୟାବକୁ ଏବେ ଉନ୍ନତିକରଣ କରାଯାଇଛି। ନୂଆ କମ୍ପ୍ୟୁଟର ଲାଗିଛି। ଏଥିରେ ଆମେ ପ୍ରାକ୍ଟିକାଲ କରିପାରୁଛୁ। ଏହାସହ ଇଣ୍ଟରନେଟ୍ ସୁବିଧା ରହିଥିବାରୁ ଆମେ ଦେଶ ବିଦେଶରେ ବ୍ୟବହାର ହେଉଥିବା ଅତ୍ୟାଧୁନିକ ଜ୍ଞାନ କୌଶଳ ବିଷୟରେ ଜାଣିପାରୁଛୁ’’, କହିଛନ୍ତି ଛାତ୍ରୀ ପୁନମ ଲୋହାର।

ସେହିପରି ଆଇଟିଆଇ ପରିସରରେ ମଲ୍ଟିପର୍ପସ୍ ହଲ୍ ଓ କ୍ୟାଫେଟେରିଆ ଆଦି ବ୍ୟବସ୍ଥା କରାଯାଇଛି। ତା’ଛଡ଼ା ଆଡମିନିଷ୍ଟ୍ରେଟିଭ ଓ ଏକାଡେମିକ୍ ବ୍ଲକ୍ ଏବଂ ବିଭିନ୍ନ ଟ୍ରେଡ୍ ପାଇଁ ଥିବା ସ୍ୱତନ୍ତ୍ର ଓ୍ୱାର୍କସପର ମଧ୍ୟ ଉନ୍ନତିକରଣ କରାଯାଇଛି।

ସୌରଶକ୍ତି ବ୍ୟବସ୍ଥା, ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ, ପାର୍କିଂ ଓ ଖେଳପଡ଼ିଆର ଉନ୍ନତିକରଣ ସହିତ କଲେଜ ଓ ହଷ୍ଟେଲରେ ପାନୀୟଜଳ ଏବଂ ଶୌଚାଳୟର ସୁବିଧା ମଧ୍ୟ କରାଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ  ପ୍ରତିଭାର ବିକାଶ ହୋଇପାରୁଛି।

‘‘ସୁନ୍ଦରଗଡ଼ ସହିତ ଅନ୍ୟ ଜିଲ୍ଲାର ଯୁବପିଢ଼ିଙ୍କ ପାଇଁ ରାଉରକେଲା ଆଇଟିଆଇ ପ୍ରମୁଖ ଆକର୍ଷଣ ପାଲଟିଛି। ବିଭିନ୍ନ ବିଷୟରେ ଏଠାରେ ତାଲିମ ଦେବା ପାଇଁ ଆଧୁନିକ ବ୍ୟବସ୍ଥା ରହିଛି। ଓମ୍ବାଡସିର ଆର୍ଥିକ ସହାୟତା ଯୋଗୁଁ ଆଇଟିଆଇ କେନ୍ଦ୍ରର ସାମଗ୍ରିକ ବିକାଶ ହୋଇପାରିଛି’’, କହିଛନ୍ତି ରାଉରକେଲା ଆଇଟିଆଇର ଅଧ୍ୟକ୍ଷ ଡି ଖୁରା।

‘ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ’ରେ ୭ଟି ବ୍ରାଞ୍ଚରେ ପ୍ରାୟ ୧୪ ଶହ ଛାତ୍ରଛାତ୍ରୀ ତାଲିମ ନେଉଛନ୍ତି। ମେଟାର୍ଲଜି, କେମିକାଲ ଓ ସେରାମିକ ଇଞ୍ଜିନିୟରିଂ ଭଳି ଆଧୁନିକ ଟ୍ରେଡରେ ଶିକ୍ଷା ଦେବାରେ ଏହା ହେଉଛି ରାଜ୍ୟର ଏକମାତ୍ର ବୈଷୟିକ ଶିକ୍ଷାନୁଷ୍ଠାନ। ଓମ୍ବାଡସି ପାଣ୍ଠି ସହାୟତାରେ ନୂଆ ରୂପ ନେଇଛି ଏହି ଅନୁଷ୍ଠାନ।

‘‘ଆମ କଲେଜରେ ବିଭିନ୍ନ ବିଭାଗକୁ ନବୀକରଣ କରାଯାଇଛି। ଥିଓରି ସହିତ ପ୍ରାକ୍ଟିକାଲ ପାଇଁ ବ୍ୟବସ୍ଥା ରହିଛି। ଏହା ଆମ ଭବିଷ୍ୟତର କ୍ୟାରିୟର ପାଇଁ ବିଶେଷ ସହାୟକ ହେଉଛି’’, କହିଛନ୍ତି ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂର ଛାତ୍ର ଆକାଶ କୁମାର ପଣ୍ଡା। ଏଥିପାଇଁ ସେ ଓମ୍ବାଡସିକୁ ଧନ୍ୟବାଦ ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଠାରେ ଆଇଟି ଲ୍ୟାବ୍ ଓ ଡିଜିଟାଲ ଲାଙ୍ଗୁଏଜ୍ ଲ୍ୟାବର ଆଧୁନିକୀକରଣ କରାଯାଇଛି। ସେହିପରି କ୍ୟାଫେଟେରିଆ ଓ ଗେଷ୍ଟ ରୁମ୍ ଆଦିର ନବୀକରଣ କରାଯାଇଛି। ଖେଳପଡ଼ିଆର ଉନ୍ନତିକରଣ ସହ ଆଧୁନିକ ଭିତ୍ତିଭୂମି ନିର୍ମାଣ ଯୋଗୁଁ ଛାତ୍ରଛାତ୍ରୀଙ୍କ ଦକ୍ଷତା ଏକ ନୂଆ ଉଚ୍ଚତାକୁ ଯାଇପାରୁଛି।

‘‘ଓମ୍ବାଡସି ଯୋଗୁଁ ଆମ ଶିକ୍ଷା ଅନୁଷ୍ଠାନରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଆଧୁନିକ ଉପକରଣ ବ୍ୟବହାର କରିବା ଫଳରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ହୋଇପାରୁଛି। ସେମାନେ ଦେଶର ପ୍ରମୁଖ ଶିଳ୍ପ ସଂସ୍ଥାରେ କାମ କରିବାକୁ ସାହସ କରିପାରୁଛନ୍ତି’’, କହିଛନ୍ତି ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂର ଅଧ୍ୟକ୍ଷା ପ୍ରଗତି ଦାସ।

ଓମ୍ବାଡସି ସହାୟତାରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ସରକାରୀ ଆଇଟିଆଇ ଓ ଇଞ୍ଜିନିୟରିଂ ସ୍କୁଲଗୁଡ଼ିକରେ ଭିତ୍ତିଭୂମିର ବିକାଶ ସହ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଫଳରେ ରାଜ୍ୟ ତଥା ଦେଶ ବିଦେଶର ଶିଳ୍ପ ଦୁନିଆ ପାଇଁ ଦକ୍ଷ ମାନବ ସମ୍ବଳ ତିଆରି ହୋଇପାରୁଛନ୍ତି।

Tags: #Rourkela #ombadc #ombadcfund #GovtITIRourkela #UtkalmaniGopabandhuInstituteofEngineering #Education #Career

Comment