ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ନିକଟ ମହାନଦୀରେ ଶୁକ୍ରବାର ଦିନ ହୋଇଥିବା ଡଙ୍ଗା ବୁଡ଼ି ଘଟଣାରେ ସମସ୍ତ ୮ ଜଣ ଯାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ଛତିଶଗଡ଼ର।

ଶୁକ୍ରବାର ଦିନ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଶନିବାର ୬ଜଣଙ୍କର ଶବ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ।

ଛତିଶଗଡ଼ର କୋରବା ଜିଲ୍ଲା ଟପରା ଗାଁର ପ୍ରାୟ ୫୦ ଜଣ ଯାତ୍ରୀ ଶୁକ୍ରବାର ଦିନ ଲୋକ ବରଗଡ଼ ଜିଲ୍ଲା ବାଞ୍ଜିପାଲିସ୍ଥିତ ପଥରସେଣୀ ମନ୍ଦିରକୁ ଯାଇଥିଲେ। ସେଠାରୁ ଦର୍ଶନ ସାରି ସେମାନେ ଡଙ୍ଗା ଯୋଗେ ଫେରୁଥିଲେ। ତେବେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଯାଉଥିବାବେଳେ ଡଙ୍ଗାଟି ଓଲଟି ପଡ଼ିଥିଲା।

ଡଙ୍ଗା ଓଲଟିବା ପରେ କିଛି ଲୋକ ନଦୀରେ ପହଁରି ନିଜ ଜୀବନ ବଞ୍ଚାଇଥିଲେ। ଅନ୍ୟମାନଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ। ତେବେ ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। କିନ୍ତୁ ଅନ୍ୟମାନଙ୍କର କୌଣସି ପତ୍ତା ମିଳିନଥିଲା।

ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଶନିବାର ସକାଳୁ ୫ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଅନ୍ୟ ଜଣଙ୍କୁ ଅପରାହ୍ଣରେ ଉଦ୍ଧାର କରାଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଶୁକ୍ରବାର ଦିନ ଡଙ୍ଗାଟି ୫୦ ଜଣ ଯାତ୍ରୀଙ୍କୁ ଦୁଇଥର କରି ଗନ୍ତବ୍ୟ ସ୍ଥଳକୁ ନେଇଯାଇଥିଲା। କିନ୍ତୁ ଫେରିବା ବେଳେ ଏକା ସାଙ୍ଗରେ ସମସ୍ତ ଯାତ୍ରୀଙ୍କୁ ଧରି ଫେରୁଥିଲା। ଯାତ୍ରୀଙ୍କ ସହ ଡଙ୍ଗାରେ ୫ଟି ବାଇକ ମଧ୍ୟ ଥିଲା।

Tags: #MahanadiBoatTragedy #Mahanadi #Jharsuguda #Passengers #Chhattisgarh

LEAVE A REPLY

Please enter your comment!
Please enter your name here