ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଛି।
(କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଏବେ ଜାରି ରହିଛି। ଏଥିରେ ବୁଧବାର ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଛି। ଏହି ଆଲୋଚନାରେ ବାଲେଶ୍ଵର ଜିଲ୍ଲା ବସ୍ତା ବିଧାୟିକା ସୁବାସିନୀ ଜେନା ଅଂଶଗ୍ରହଣ କରି ରାଜ୍ୟର ସ୍ଵାସ୍ଥ୍ୟ ସେବା ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ।
“ଆମେ ପିଲା ଦିନୁ ଶିଖିଛୁ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’। ଚଳିତ ବଜେଟରେ ରାଜ୍ୟ ସରକାର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୨ ହଜାର ୭୪୧ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ତେବେ ଏହାକୁ ଅତି କମରେ ୩୦ ହଜାର କୋଟି ଟଙ୍କା କରିବାର ଆବଶ୍ୟକତା ରହିଛି ଓଡ଼ିଶାରେ ମୁଣ୍ଡପିଛା ସ୍ୱାସ୍ଥ୍ୟ ଖର୍ଚ୍ଚ ମାତ୍ର ୩୬୦୦ ଟଙ୍କା ରହିଥିବାବେଳେ କେରଳ ଭଳି ରାଜ୍ୟରେ ଏହା ୧୦ ହଜାର ୬୦୦ ଟଙ୍କା। ଏହାର ପରିମାଣ ସ୍ୱରୂପ ଆମ ଓଡ଼ିଶା ଲୋକଙ୍କର ହାରାହାରି ଆୟୁ ୬୯ ବର୍ଷ ଥିଲାବେଳେ କେରଳରେ ଏହା ୭୫ ବର୍ଷ ଏବଂ ତାମିଲନାଡୁରେ ୭୪ ବର୍ଷ”, କହିଛନ୍ତି ସୁବାସିନୀ ଜେନା।
ସେ ଆହୁରି ମଧ୍ୟ କହିଛନ୍ତି, “ପୃଥିବୀରେ ବହୁ ଦେଶ ପ୍ରାକ ଚିହ୍ନଟ ଓ ସ୍କ୍ରିନିଂ କରି ଡାଇବେଟିସ, କ୍ୟାନସର ଭଳି ରୋଗକୁ ବହୁ ମାତ୍ରାରେ କମାଇ ପାରୁଛନ୍ତି। ଜାପାନ ଓ କୋରିଆ ଭଳି ଦେଶ ସେମାନଙ୍କ ଜନସାଧାରଣଙ୍କର ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରି ଡାଇବେଟିସକୁ ୫ ପ୍ରତିଶତ ପର୍ଯ୍ୟନ୍ତ କମାଇବାରେ ସମର୍ଥ ହୋଇଛନ୍ତି। ଏଣୁ ସରକାର ବଜେଟରେ ବ୍ୟୟ ବରାଦ କରି ଓଡ଼ିଶାର ପ୍ରତି ନାଗରିକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବାର ଆବଶ୍ୟକତା ରହିଛି।”
ସେହିପରି ଓଡ଼ିଶାରେ ଥିବା ଡାକ୍ତରଙ୍କ ଅଭାବ ପୂରଣ କରିବା ଏବଂ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ବିଧାୟିକା ନିଜ ବକ୍ତବ୍ୟରେ କହିଥିଲେ।
Tags: #OdishaAssembly #BudgetSession #SubasiniJena #HFWDept #HealthCare #Odisha