ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଆସନ୍ତା ଏପ୍ରିଲ ୧୪ ତାରିଖରୁ ଆରମ୍ଭ ହେବ ୨୩ତମ ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବ। ଏପ୍ରିଲ ୧୪ରୁ ୧୮ ତାରିଖ ୫ ଦିନ ଧରି ଏହି ମହୋତ୍ସବ ଚାଲିବ। ଏହା ପୂର୍ବରୁ ମାର୍ଚ୍ଚ ୩୦ ତାରିଖରେ ପ୍ରତିଭା ଚୟନ ନିମନ୍ତେ ହେବ ମେଗା ଅଡିସନ।

ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ବିକାଶ ଲାଗି ୨୦୦୩ ମସିହାଠାରୁ ବାରିପଦାର ବାବା ବୁଢ଼ା ରାଉଳ ମଠ ନିକଟ ବୁଢ଼ାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମଠାରେ ବଳାଙ୍ଗୀ ମହୋତ୍ସବର ଆୟୋଜନ ହୋଇଆସୁଛି।

ମାର୍ଚ୍ଚ ୩୦ ତାରିଖରେ ପୋଡ଼ା ଅସ୍ତିଆ ନିକଟ ଡିଭାଇନ ଇଞ୍ଜିନିୟରିଙ୍ଗ କଲେଜ ଅଡିଟୋରିୟମରେ ଅନୁଷ୍ଠିତ ଟାଲେଣ୍ଟ ହଣ୍ଟ ଅଡିସନ। ଏ ନେଇ ମହୋତ୍ସବ କମିଟି ପକ୍ଷରୁ ବାରିପଦା ଷ୍ଟାଡିୟମ ସଭା ଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଭାପତି ରାଜକିଶୋର ଦାସ, ଅଧ୍ୟକ୍ଷ ଅରବିନ୍ଦ ଦାସ, ଉପାଧ୍ୟକ୍ଷ ରାଜୀବ ଲୋଚନ ସେନାପତି, ବରିଷ୍ଠ ସଦସ୍ୟ ମନୋଜ କୁମାର ଦଳବେହେରା, ଗୋଲୋକ ମହାନ୍ତି ପ୍ରମୁଖ ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଚଳିତ ବର୍ଷ ମହୋତ୍ସବରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯିବା ସହ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

Tags: #StateLevelBalangiCulturalEvent #TalentHuntAudition #Baripada #Mayurbhanj

Comment