ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆଜି ସକାଳୁ ସ୍କୁଲ ଯାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସ୍କୁଲରେ ଏହି ନିୟମ କାର୍ଯ୍ୟକାରୀ ହୋଇଛି। ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ।
ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା ଏବଂ ଓଆରଏସ ପ୍ୟାକେଟ ମଧ୍ୟ ସ୍କୁଲରେ ରଖାଯାଇଛି।
ଏହାପୂର୍ବରୁ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ। କିନ୍ତୁ ରାଜ୍ୟରେ ତତ୍କ୍ଷଣାତ ସକାଳୁଆ ସ୍କୁଲ ଲାଗୁ କରିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ସୂଚନା ଜାରି ହୋଇଥିଲା। ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ଏନେଇ ଚିଠି ଲେଖିଥିଲେ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାରଠୁ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ସକାଳୁ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ସକାଳ ୭ଟାରୁ ୯ଟା ଯାଏଁ ଚାଲୁଛି।
Tags: #School #Education #MorningSchool #MorningClass #HeatWave #Odisha