ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ଓ ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ହୋଇଛି ଲୋକସମ୍ପର୍କ ସମ୍ମିଳନୀ। ଭାରତୀୟ ଲୋକସମ୍ପର୍କ ପରିଷଦ ଭୁବନେଶ୍ୱର ଚ୍ୟାପ୍ଟରର ଅଧ୍ୟକ୍ଷ ଡକ୍ଟର ଅଶୋକ ପଣ୍ଡା ଏହାର ଉଦ୍ଘାଟନ କରିଥିଲେ। ଗୁରୁବାର ଆଇଆଇଏମ୍ସି ଢେଙ୍କାନାଳର ଅଡିଟୋରିୟମରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଏହି ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୫୦ ଜଣ କାର୍ଯ୍ୟରତ ସାମ୍ବାଦିକ, ସାମ୍ବାଦିକା ଯୋଗଦେଇଥିଲେ। ‘ଲୋକସମ୍ପର୍କ ଏବଂ ସାମ୍ବାଦିକତା: ଆହ୍ୱାନ ଓ ସୁଯୋଗ’ ବିଷୟବସ୍ତୁ ଉପରେ ଏଠାରେ ଆଲୋଚନା କରାଯାଇଛି।
“ଗୋଟିଏ ସଂସ୍ଥା ପାଇଁ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ। ଯେଭଳି ନିଜ ସଂସ୍ଥାର ଆଭ୍ୟନ୍ତରୀଣ ହିତାଧିକାରୀ, ପୁଞ୍ଜି ବିନିଯୋଗକାରୀ ଏବଂ କର୍ମଚାରୀ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି ନହୁଏ, ସେଥିପ୍ରତି କର୍ପୋରେଟ୍ ଯୋଗାଯୋଗ ଗୁରୁତ୍ୱାରୋପ କରିବା ଉଚିତ। ସେହିପରି ସଂସ୍ଥାର ବାହ୍ୟ ହିତାଧିକାରୀଙ୍କ ସହ ଉତ୍ତମ ଯୋଗାଯୋଗ ମଧ୍ୟ ଜରୁରୀ। ଏହାସହ ଗଣମାଧ୍ୟମ ଓ ଲୋକସମ୍ପର୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ରହିବା ଦରକାର”, କହିଛନ୍ତି ଡକ୍ଟର ଅଶୋକ ପଣ୍ଡା।
କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଆଇଆଇଏମ୍ସି ଢେଙ୍କାନାଳର ଓଡ଼ିଆ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ଚିରସ୍ରୋତା ଜେନା ‘ସାମ୍ବାଦିକତା କ୍ଷେତ୍ରରେ କୃତ୍ରିମ ମେଧାର ପ୍ରୟୋଗ’ ଉପରେ ଆଲୋଚନା କରିଥିଲେ। ଏଥିରେ ସେ ବିଭିନ୍ନ କୃତ୍ରିମ ମେଧା ଉପକରଣ ବିଷୟରେ ଉଦାହରଣ ସହ ଉପସ୍ଥାପନ କରିଥିଲେ।
ଆଇଆଇଏମ୍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆଇଆଇଏମ୍ସି ଢେଙ୍କାନାଳର ଇଂରାଜୀ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିରଞ୍ଚି ନାରାୟଣ ସେଠ୍ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍ସି ଢେଙ୍କାନାଳର ଓଏସ୍ଡି ତଥା ଭୁବନେଶ୍ୱର ପ୍ରେସ୍ ଇନ୍ଫରମେଶନ ବ୍ୟୁରୋର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଜି.ସି. ଦାଶ, ଟାଟା ଷ୍ଟିଲ୍ ମେରାମଣ୍ଡଳୀର ମୁଖ୍ୟ କର୍ପୋରେଟ୍ କମ୍ୟୁନିକେଶନ୍ ଅଧିକାରୀ ଶୁଭ୍ରାଂଶୁ ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ରତନ ନାୟର ପ୍ରମୁଖ ଯୋଗ ଦେଇଥିଲେ।
Tags: #IIMCDhenkanal #PublicRelationConclave #TataSteel #Communication #Dhenkanal


















