ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱରେ ଏବେ ନିଆଁ ଲଗାଇଛି ଏଲନ ମସ୍କଙ୍କ ଏଆଇ ଟୁଲ ଗ୍ରୋକର ଲାଟେଷ୍ଟ ମଡେଲ। ରାଜନେତାଙ୍କଠୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପ୍ରଶ୍ନର ଉତ୍ତର ଏପରି ଦେଉଛି, ଯାହାକୁ ନେଇ ବିଶ୍ୱରେ ଚହଳ ସୃଷ୍ଟି ହୋଇଛି। ଏଆଇ ଟୁଲ ‘ଗ୍ରୋକ’ର ଏପରି ପ୍ରତିକ୍ରିୟା ଦେଖି ଭାରତ ସରକାର ମଧ୍ୟ ଚକିତ। ଏହାର ତଦନ୍ତ ନେଇ ଏକ୍ସ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ।

ଗତ କିଛି ଦିନ ହେବ ଏହି ଏଆଇ ଟୁଲକୁ ନେଇ ଲଗାତର ଅନେକ ମାମଲା ସାମ୍ନାକୁ ଆସୁଛି। ଏହାକୁ ବାରମ୍ବାର କୌଣସି ପ୍ରଶ୍ନ ପଚାରିଲେ ଏହା ଆପତ୍ତିଜନକ ଭାଷାରେ ଉତ୍ତର ଦେଉଥିବା ଅଭିଯୋଗ ହେଉଛି। ଏପରିକି ରାଜନେତା ଏବଂ ସେଲିବ୍ରିଟିଙ୍କ ଉପରେ ଆଧାରିତ ପ୍ରଶ୍ନରେ ମଧ୍ୟ ଅପ୍ରତ୍ୟାଶିତ ପ୍ରତିକ୍ରିୟା ରଖୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

କ’ଣ ଏହି ଗ୍ରୋକ ଏଆଇ ?

ଏକ୍ସ ଦ୍ଵାରା ବିକଶିତ ହୋଇଥିବା ଏଆଇ ଟୁଲ ହେଉଛି ‘ଗ୍ରୋକ’। ଏହା ଅନ୍ୟ ଏଆଇ ଆପ ‘ଚାଟ-ଜିପିଟି’ ଓ ‘ଜେମିନି’ ଏଆଇ ଭଳି କାମ କରିଥାଏ। ଏହାର ଲକ୍ଷ୍ୟ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଭାଷାରେ ଉତ୍ତର ଦେବା। ୨୦୨୩ ମସିହାରେ ବିଶିଷ୍ଟ ଶିଳ୍ପପତି ଏଲନ ମସ୍କଙ୍କ ଏଆଇ କମ୍ପାନି ଦ୍ଵାରା ଏହାର ଲଞ୍ଚ କରାଯାଇଥିଲା।

ଏହାର ଲାଟେଷ୍ଟ ମଡେଲ ୨୦୨୫ ଫେବ୍ରୁଆରୀ ମାସ ୧୭ ତାରିଖରେ ଲଞ୍ଚ ହୋଇଥିଲା। ଏହା ପରେ ପୂର୍ବ ଭର୍ସନ ତୁଳନାରେ ଏହାର କ୍ଷମତା ୧୦ ଗୁଣ ଅଧିକ ଥିବା କମ୍ପାନି ଦାବି କରିଥିଲା। ଏଥିରେ ଏକ ‘ଥିଙ୍କ’ ମୋଡ  ରହିଥିବା କମ୍ପାନି ଦ୍ଵାରା କୁହାଯାଇଥିଲା, ଯାହା ପ୍ରତିକ୍ରିୟା ରଖିବା ପୂର୍ବରୁ କିଛି ସମୟ ବିଚାର କରି ମାନବ ଭାଷାରେ ଉତ୍ତର ଦେଇଥାଏ। 

ତେବେ ଏହା ଲାର୍ଜ ଲାଙ୍ଗୁଏଜ୍‌ ମଡେଲ (ଏଲଏଲଏମ) ଉପରେ ଆଧାରିତ। ଏଥିସହ ସବୁଠାରୁ କଠିନ ପ୍ରଶ୍ନର ମଧ୍ୟ ଉତ୍ତର ଏହା ଦେଇପାରୁଛି।

ୟୁଜର୍ସଙ୍କ ପ୍ରଶ୍ନର କିପରି ପ୍ରତିକ୍ରିୟା ରଖୁଛି ଗ୍ରୋକ ଏଆଇ ?

ଗତ କିଛିଦିନ ତଳେ, ଜଣେ ଏକ୍ସ ୟୁଜର ଏହାକୁ ପଚାରିଥିଲେ ‘ହାଏ ଗ୍ରୋକ ମୋର ୧୦ ସବୁଠୁ ଭଲ ମ୍ୟୁଚୁଆଲ କିଏ?’, କିଛି ସମୟ ପର୍ଯ୍ୟନ୍ତ ତାଙ୍କୁ ଏହାର କୌଣସି ପ୍ରତିକ୍ରିୟା  ମିଳିନଥିଲା। ଏହା ପରେ ୟୁଜର ଜଣକ ଦ୍ୱିତୀୟ ଥର ହିନ୍ଦୀ ଭାଷାରେ ଏକ ଅପଶବ୍ଦ ବ୍ୟବହାର କରି ପୁନଶ୍ଚ ପଚାରିଥିଲେ। ଏହାର ପ୍ରତିକ୍ରିୟା ପ୍ରକାଶ କରି ଗ୍ରୋକ ସମାନ ଗାଳିକୁ ୟୁଜରଙ୍କ ବିରୋଧରେ ବ୍ୟବହାର କରିଥିଲା।

ସେହିପରି ସରକାରୀ ଏବଂ ବିରୋଧୀ ଦଳର ନେତାମାନଙ୍କ ସମ୍ପର୍କରେ ଏହାର ଉତ୍ତରଗୁଡ଼ିକ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ତେବେ ରାଜନୀତି ଏବଂ ସେନସରସିପ୍ କ୍ଷେତ୍ରରେ ସରକାର ଏପରି ଉପକରଣଗୁଡ଼ିକ ଉପରେ ନଜର ରଖିଥାନ୍ତି। ମିଥ୍ୟା ସୂଚନା ସେୟାର କରିବା ଏବଂ ବିବାଦୀୟ ପ୍ରସଙ୍ଗ ଉଠାଇବା ପାଇଁ ଗ୍ରୋକ ଏଆଇ ଉପରେ ପ୍ରତିବନ୍ଧକ ଲାଗିପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି

Tags: #AIGrok #ElonMusk #AIChatbot #AIResponse #Technology

LEAVE A REPLY

Please enter your comment!
Please enter your name here