ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ୧୯ଟି ପଞ୍ଚାୟତର ୪୭ଟି ଗ୍ରାମ ବିଶେଷ ପ୍ରଭାବିତ ହୋଇଛି। ପବନ ଏବଂ କୁଆପଥର ମାଡ଼ରେ ଘରର ଛପର ଉଡ଼ିଯାଇଛି।

କୁଆପଥର ଝଡ଼ ଯୋଗୁଁ ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪,୭୭୫ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ବେଳେ ୧୧ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି। ୨୯୫ଟି କଚ୍ଚା ଘର ଆଂଶିକ ଭାବେ ନଷ୍ଟ ହୋଇଥିବା ବେଳେ ୪ଟି ଗାଈ ଗୁହାଳ ଘର ନଷ୍ଟ ହୋଇଛି। ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଗମନାଗମନ ମଧ୍ୟ ପ୍ରଭାବିତ ହୋଇଛି।

ଖୋଲା ଆକାଶ ତଳେ ଛୁଅ ପିଲାଙ୍କୁ ଧରି ଭୋକ ଉପାସରେ ପଡ଼ିରହିଛନ୍ତି କ୍ଷତିଗ୍ରସ୍ତ ଲୋକେ। ତୁରନ୍ତ କ୍ଷତି ପୂରଣ ଦାବିରେ କ୍ଷତିଗ୍ରସ୍ତ ଲୋକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଦୀର୍ଘ ୭ ଘଣ୍ଟା ଧରି ଉଭୟ ପାର୍ଶ୍ଵରୁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ସ୍ଥାନୀୟ ପ୍ରଶାସନ  ଲୋକମାନଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ରିଲିଫ କେନ୍ଦ୍ର ଖୋଲାଯାଇ କ୍ଷତିଗ୍ରସ୍ତମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିବାବେଳେ ଘରଭାଙ୍ଗି ଯାଇଥିବା ଲୋକଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି। ଏହା ସହ ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୫ଟି ମେଡିକାଲ ଟିମ ନିୟୋଜିତ ହୋଇଛନ୍ତି। କ୍ଷୟକ୍ଷତିର ଆକଳନ ଚାଲିଛି। ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲା ପରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Tags: #Kalbaisakhi #Rain #Storm #Mayurbhanj #Odisha

LEAVE A REPLY

Please enter your comment!
Please enter your name here