ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଗକୁ ଆସିବ ନୂଆ ଜଳ ନୀତି। ଅଧିକ କୃଷି ଭୂମିକୁ ଜଳସେଚନ କରିବା ପାଇଁ ଏହି ନୀତି ଆଣିବେ ରାଜ୍ୟ ସରକାର। ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ନୂଆ ଜଳ ନୀତିରେ ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ପାଇଁ ଯୋଜନା ରହିବ। ଏଥିରେ ଚଳିତ ବର୍ଷ ୨ ଲକ୍ଷ ୭୭ ହଜାର ହେକ୍ଟର ଜମିକୁ ଜଳସେଚନ କରାଯିବାର ଲକ୍ଷ୍ୟ ରଖାଯାଇଛି।
“ଆଜିର ସମୟରେ ମଧ୍ୟ ଆମେ ଓଡ଼ିଶାର ସବୁ ଜମିକୁ ଜଳସେଚନ କରିବା ଲକ୍ଷ୍ୟ ପୂରଣ କରିପାରିନାହୁଁ। ୬୦ରୁ ଅଧିକ ବ୍ଲକରେ ୩୫ ପ୍ରତିଶତରୁ କମ୍ ଜଳସେଚନ ହୋଇଛି। ଅନେକ ଟଙ୍କା ଖର୍ଚ୍ଚ କରି ମଧ୍ୟ ୫୦ ପ୍ରତିଶତରୁ ଅଧିକ ଜମିରେ ଜଳସେଚନ ହୋଇନାହିଁ। ଏଥିପାଇଁ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏସବୁ ସମସ୍ୟାର ସମାଧାନ ପାଇଁ ଆମେ ନୂଆ ଜଳ ନୀତି ଆଣିବାକୁ ଯାଉଛୁ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରାଜ୍ୟରେ ଜଳସେଚନରେ ଅବ୍ୟବସ୍ଥା ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବ ସରକାରରେ ଜଳସେଚନ ପାଇଁ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା ଫଳପ୍ରଦ ହୋଇନାହିଁ ସେ ମତବ୍ୟକ୍ତ କରିଥିଲେ।
Tags: #NewWaterlaw #Irrigation #Farmlands #CMMohanCharanMajhi #Odisha