ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ତାଙ୍କୁ ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ (ଓଇଆରସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏନେଇ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବରିଷ୍ଠ ଆଇଏଏସ ଅଧିକାରୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅବସର ପରେ ଓଇଆରସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ଏବେ ପ୍ରଦୀପ କୁମାର ଜେନା ଏହି ଦାୟିତ୍ଵ ତୁଲାଇବେ।
ପ୍ରଦୀପ କୁମାର ଜେନା ୧୯୮୯ ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ସେ ୧୯୯୧ ମସିହାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ସେ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ତଥା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଳାଇଥିଲେ।
ପ୍ରଦୀପ କୁମାର ଜେନା ମହାବାତ୍ୟା ସମୟରେ କଟକର ଜିଲ୍ଲାପାଳ ନିଯୁକ୍ତ ହୋଇଥିଲେ। ସେ ରାଜ୍ୟ ସରକାରଙ୍କ କୃଷି ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଓ ସ୍ଵତନ୍ତ୍ର ରିଲିଫ କମିଶନର ରହିବା ପରେ ସେ ୨୦୨୩ ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ ହୋଇଥିଲେ।
Tags: #PradeepKumarJena #Chairman #OERC #IAS #Odisha