ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଅସାଧୁ ବିଲ୍ଡରଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ (ଓରେରା)। ଏଣିକି ରାଜ୍ୟରେ ଚାଲିଥିବା ରିଅଲ୍ ଇଷ୍ଟେଟ୍ କାରବାର ଉପରେ ନଜର ରଖାଯିବ। ଏନେଇ ଓରେରା ପକ୍ଷରୁ ଏକାଧିକ ଅଡିଟ୍ ଫାର୍ମଙ୍କୁ ଦାୟିତ୍ଵ ଦିଆଯାଇଛି। ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ଓରେରା ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଥିବା କୁହାଯାଇଛି।
ଓରେରାର ନିଷ୍ପତ୍ତି ଅନୁସାରେ ଏହି ଅଡିଟ୍ ଫାର୍ମଗୁଡ଼ିକ ରାଜ୍ୟରେ ଚାଲିଥିବା ବିଭିନ୍ନ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପର ସମୀକ୍ଷା କରିବେ। ଏଥିରେ କୌଣସି ନିୟମରେ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଲେ ସେମାନେ ପ୍ରକଳ୍ପର ପ୍ରମୋଟର ତଥା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓରେରାକୁ ସୁପାରିସ କରିବେ।
ଏଥିରେ ପ୍ରକଳ୍ପ ନିର୍ମାଣରେ ବିଳମ୍ବ, ଅନିୟମିତତା, ତ୍ରୁଟି, ଗ୍ରାହକଙ୍କ ଅର୍ଥକୁ ଅନ୍ୟ ପ୍ରକଳ୍ପକୁ ସ୍ଥାନାନ୍ତର, ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବୁକିଂ ଭଳି ଅଭିଯୋଗଗୁଡ଼ିକୁ ଅଡିଟ୍ ଟିମ୍ ତଦନ୍ତ କରିବ। ପ୍ଲଟ୍, କୋଠା କିମ୍ବା ଆପାର୍ଟମେଣ୍ଟ କିଣାବିକାରେ ଯେଭଳି ଗ୍ରାହକ ଠକେଇର ଶିକାର ନ ହୁଅନ୍ତି ସେଥିପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣେଇବାକୁ ଓରେରା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଅଡିଟ୍ ଫାର୍ମଙ୍କୁ ସବୁ ବିଲ୍ଡର ତଥା ରିଅଲ୍ ଇଷ୍ଟେଟ୍ ସଂସ୍ଥା ପୂର୍ଣ୍ଣ ସହଯୋଗ କରିବାକୁ ଓରେରା ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଅଡିଟ୍ ଫାର୍ମ ମଗୁଥିବା ସବୁ ତଥ୍ୟ ଓ ଦସ୍ତାବିଜ ଯୋଗାଇବାକୁ କୁହାଯାଇଛି। ଏହାର ଖିଲାପ କଲେ ଓରେରା ଆଇନ ଧାରା ୩୫(କ)ର ଉଲ୍ଲଂଘନ ବୋଲି ଧରାଯିବ। ଏହାପରେ ଏହି ଆଇନର ଧାରା ୬୩ ଅଧିନରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ରିଅଲ୍ ଇଷ୍ଟେଟ୍ କାରବାର କ୍ଷେତ୍ରରେ ପୂର୍ବରୁ ଗ୍ରାହକ ଅଭିଯୋଗ କରିବାପରେ ଓରେରା କେବଳ ନିର୍ଦ୍ଦେଶନାମା ଜାରି କରୁଥିଲେ। ତେବେ ଏଥିରେ ପ୍ରକଳ୍ପର ସମୀକ୍ଷା କରିବାର ବ୍ୟବସ୍ଥା ନଥିଲା। ବିଲ୍ଡରଙ୍କ ଉତ୍ତରକୁ ଅପେକ୍ଷା କରିବାକୁ ପଡୁଥିଲା। ଏହା ଫଳରେ ଓରେରା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା।
ଅନେକ ସମୟରେ ଅସାଧୁ ବିଲ୍ଡରମାନେ ଗ୍ରାହକମାନଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳେ। ଗ୍ରାହକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବା, ଠିକ ସମୟରେ ପ୍ରକଳ୍ପ ପୂରା ନ କରିବା, ଅକ୍ୟୁପେନ୍ସି ସାର୍ଟିଫିକେଟ ନଦେବା ଏବଂ ରିଅଲ୍ ଇଷ୍ଟେଟ୍ ସମ୍ବନ୍ଧୀୟ କେତେକ ଆଇନଗତ ପ୍ରବଧାନକୁ କିଛି ବିଲ୍ଡର ପୂରଣ କରୁନଥିବା ନଜିର ରହିଛି। ତେବେ ନୂଆ ବ୍ୟବସ୍ଥାରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଓରେରା ପକ୍ଷରୁ ଆଶା ରଖାଯାଇଛି।
Tags: #ORERA #RealEstateProject #ForensicAudit #Builders #Odisha #ଓରେରା

















