ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଲେ ଆଇଏଏସ ସୁଜାତା କାର୍ତ୍ତିକେୟନ। ଚାକିରିରୁ ଆଗୁଆ ଅବସର ନେବା ପାଇଁ ସୁଜାତା କାର୍ତ୍ତିକେୟନ କେନ୍ଦ୍ର ନିକଟରେ ୧୫ ଦିନ ପୂର୍ବରୁ ଆବେଦନ କରିଥିଲେ। ତାଙ୍କ ଆବେଦନକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି।

୨୦୦୦ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ। ବିଜେଡି ସରକାର ସମୟରେ ସୁଜାତା କାର୍ତ୍ତିକେୟନ ବେଶ ପ୍ରଭାବଶାଳୀ ଥିଲେ। ସେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ କାର୍ଯ୍ୟ କରିଥିଲେ।

କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ବିଭାଗରୁ ଅନ୍ୟ ବିଭାଗକୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ। କାରଣ ନିର୍ବାଚନରେ ବିଜେଡିକୁ ସମର୍ଥନ କରିବା ଦିଗରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆକୃଷ୍ଟ କରିବାକୁ ସୁଜାତା କାର୍ତ୍ତିକେୟନ ନିଜ ପଦବୀର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିଥିଲା ବିଜେପି।

ପରେ ୨୦୨୪ ମେ’ ୩ ତାରିଖରେ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ସୁଜାତା କାର୍ତ୍ତିକେୟନଙ୍କୁ ନିଯୁକ୍ତି ମିଳିଲା। ମିଶନ ଶକ୍ତି ବିଭାଗ ଦାୟିତ୍ଵ ସହ ଓଡ଼ିଆ ଭାଷା ଓ ସାଂସ୍କୃତି ବିଭାଗର ସ୍ଵତନ୍ତ୍ର ସଚିବ ପଦରୁ ହଟିଥିଲେ ସୁଜାତା।

ପରେ ୨୦୨୪ ଜୁନ ୭ ତାରିଖରୁ ନଭେମ୍ବର ୨୬ ତାରିଖ ଯାଏଁ ୬ ମାସ ଛୁଟିରେ ରହିଥିଲେ ସୁଜାତା କାର୍ତ୍ତିକେୟନ। ସୁଜାତା କାର୍ତ୍ତିକେୟନଙ୍କ ୬ ମାସିଆ ଛୁଟି ଅବଧି ଶେଷ ହେବା ପରେ ପୁଣି ଥରେ ସେ ଆଉ ୬ ମାସ ଛୁଟି ପାଇଁ ଆବେଦନ କରିଥିଲେ। ତେବେ ତାଙ୍କ ଆବେଦନକୁ ଖାରଜ କରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର। ନଭେମ୍ବର ୨୭ ତାରିଖରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ।

କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପରେ ସବୁକିଛି ଓଲଟ ପାଲଟ ହୋଇଗଲା। ରାଜ୍ୟରେ ନୂଆ ସରକାର ଆସିବା ପରେ ସୁଜାତା କାର୍ତ୍ତିକେୟନ ଖାପଖୁଆଇ ପାରିନଥିଲେ, ଏହି କାରଣରୁ ସେ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବାକୁ ଚାହିଁଲେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Tags: #SujataKarthikeyan #IASOfficer #VRS #Odisha

Comment