ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ ନିଜ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ତାଙ୍କ ସ୍ଵେଚ୍ଛାକୃତ ଅବସର ନେବାର ଆବେଦନକୁ ସୋମବାର ଦିନ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ଅନୁମୋଦନ କରିଥିଲା। ଏବେ ଚାକିରିରୁ ଅବସର ପରେ ଭି କେ ପାଣ୍ଡିଆନଙ୍କୁ ମିଳିଛି ନୂଆ ଦାୟିତ୍ଵ। ସେ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କ୍ୟବିନେଟ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି।

ଭି କେ ପାଣ୍ଡିଆନ ଆଇଏଏସ୍‌ ଅଧିକାରୀ ଭାବେ ୨୩ ବର୍ଷ ଚାକିରି କରିବା ପରେ ଅକ୍ଟୋବର ୨୦ ତାରିଖରେ ସ୍ଵେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରିଥିଲେ। ଯାହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି। ଭି କେ ପାଣ୍ଡିଆନଙ୍କ ଚାକିରିରୁ ଅବସର ନେବା ଏବେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି।

ଭି କେ ପାଣ୍ଡିଆନଙ୍କ ପ୍ରଶାସନିକ କ୍ୟାରିୟର

ତାମିଲନାଡୁରେ ୧୯୭୪ ମେ’ ୨୯ରେ ଜନ୍ମଗ୍ରହଣ କରିଥିବା ଭି କେ ପାଣ୍ଡିଆନ ୨୦୦୦ ମସିହାରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆଇଏଏସ୍‌ ତାଲିମ ପରେ ୨୦୦୨ ମସିହା ଅଗଷ୍ଟ ୧ରେ କଳାହାଣ୍ଡି ଧର୍ମଗଡ଼ରେ ଉପଜିଲ୍ଲାପାଳ ପଦବୀରେ ନିଯୁକ୍ତ ହୋଇଥିଲେ। ସେ କଳାହାଣ୍ଡିରେ ୨୦୦୪ ଫେବ୍ରୁଆରି ୨୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ଏହାପରେ ସେ ୨୦୦୪ ମାର୍ଚ୍ଚ ୧ରୁ ଜୁନ୍‌ ୩୦ ତାରିଖ ଯାଏଁ ଓଡ଼ିଶା ନିର୍ବାଚନ ଆୟୋଗର ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ୨୦୦୪ ଜୁଲାଇ ୧ରୁ ୨୦୦୫ ଏପ୍ରିଲ ୩୦ ତାରିଖ ଯାଏଁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇଥିଲେ।

୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮ ଯାଏଁ ଭି କେ ପାଣ୍ଡିଆନଙ୍କୁ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ସେ ଗଞ୍ଜାମର ଜିଲ୍ଲାପାଳ ଭାବେ ୨୦୦୯ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ୨୦୧୧ ମେ’ ମାସରେ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ।

୫-ଟି ସଚିବ ଭାବେ କାର୍ଯ୍ୟକାଳ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ସମୟରେ ତାଙ୍କର କ୍ଷମତା ଓ କାର୍ଯ୍ୟ ପରିସର ବ୍ୟାପକ ହୋଇଥିଲା। ଏହାପରେ ୨୦୧୯ ମସିହାରେ ‌ରାଜ୍ୟ ସରକାର ତାଙ୍କୁ ୫-ଟି ସଚିବ ଭାବେ ନିଯୁକ୍ତ କଲେ। ୫-ଟି ସଚିବ ଭାବେ ଭି କେ ପାଣ୍ଡିଆନଙ୍କ କ୍ଷମତା ଆହୁରି ବୃଦ୍ଧି ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଅନ୍ୟାନ୍ୟ କାମର ସମୀକ୍ଷା କରୁଥିଲେ। ହେଲେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ବିଭିନ୍ନ ଜିଲ୍ଲା ଗସ୍ତ କରିବା ନେଇ ସେ ବିରୋଧୀଙ୍କ ଘୋର ସମାଲୋଚନାର ଶିକାର ହୋଇଥିଲେ।

ରାଜ୍ୟର ବିରୋଧୀ ଦଳମାନେ ତାଙ୍କ ଗସ୍ତକୁ ସିଧାସଳଖ ରାଜନୀତି ସହ ଯୋଡ଼ିଥିଲେ। ଏହାସହ ଚାକିରିରୁ ଇସ୍ତଫା ଦେଇ ରାଜନୀତି ମଇଦାନରେ ଓହ୍ଲାନ୍ତୁ ବୋଲି ବିରୋଧୀ ଦଳମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ। ତେବେ ପ୍ରଶାସନିକ ସେବାରୁ ଅବସରପରେ ଭି କେ ପାଣ୍ଡିଆନଙ୍କ ପରବର୍ତ୍ତୀ କା‌ର୍ଯ୍ୟଧାରା କ’ଣ ରହିବ ତାହାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।    

 Tags: #VKPandian #IASOfficer #AdministrativeService #5tSecretary #Odisha

Comment