ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା। କଟକ ବାଲିଯାତ୍ରା ପଡ଼ିଆରେ ଏହି ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଏନେଇ ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।

ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତ୍ୟେକ ପୁରୁଷ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବ। ଏଥିରେ ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ପ୍ରଦାନ କରାଯିବ। ଏହି ଯୋଜନା ଦ୍ଵାରା ହିତାଧିକାରୀମାନେ ଦେଶର ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜୀକୃତ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ।

ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏପ୍ରିଲ ୧୦ ତାରିଖ ରାତିରେ ଭୁବନେଶ୍ୱର ପହଞ୍ଚିବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା। ଏପ୍ରିଲ ୧୧ ତାରିଖ ଦିନ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ। ପରଦିନ ଅର୍ଥାତ ଏପ୍ରିଲ ୧୨ ତାରିଖରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେବା ପାଇଁ ଚଳିତ ବର୍ଷ ଜାନୁଆରି ୧୩ ତାରିଖରେ ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟ ସରକାରଙ୍କ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।

Tags: #AyushmanBharatYojana #HealthServices #Launch #Cuttack #BaliyatraGround #Odisha

LEAVE A REPLY

Please enter your comment!
Please enter your name here