ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଆ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୃଷି ଏବଂ ଶିକ୍ଷା ଉପରେ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଅନେକ ସମ୍ମାନରେ ସମ୍ମାନିତ ହୋଇଛି।
ଏହି ଦୁଇଦିନିଆ ସମ୍ମିଳନୀ କୃଷି ପ୍ରଯୁକ୍ତିବିଦ୍ୟା ବିକାଶ ସୋସାଇଟି (ଏଟିଡିଏସ) ଦ୍ଵାରା ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସ୍ଥାୟୀ ଶିକ୍ଷା, ପରିବେଶ ଓ କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଏବଂ ଉଦ୍ଭାବନ ଥିଲା ଏହି କାର୍ଯ୍ୟକ୍ରମର ଥିମ।
ଏଥିରେ ସହକାରୀ ପ୍ରଫେସର ଡକ୍ଟର ଅନୁପମ ଡାକୁଆ ସିୟୁଓର ପ୍ରତିନିଧିତ୍ୱ କରିଥିଲେ। ସେହିପରି ଆସୋସିଏଟ୍ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡକ୍ଟର ମଞ୍ଜୁଶ୍ରୀ ସିଂହ ମୁଖ୍ୟବକ୍ତା ଭାବେ ଯୋଗଦେଇ ରିମୋଟ୍ ସେନ୍ସିଂ ଓ ଜିଆଇଏସ୍ ମାଧ୍ୟମରେ ସ୍ମାର୍ଟ ଫାର୍ମିଂ ଉପରେ କହିଥିଲେ।
ଅନେକ ଅଧ୍ୟାପକଙ୍କୁ ସେଠାରେ ସେମାନଙ୍କ ଉଲ୍ଲେଖନୀୟ ଶିକ୍ଷାଗତ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା। ଉଦ୍ଭିଦ ରୋଗ ବିଶେଷଜ୍ଞ ଡକ୍ଟର ଲୋପାମୁଦ୍ରା ବେହେରା, ଉଦ୍ଭିଦ ପ୍ରଜାତି ଉନ୍ନତି ଉପରେ କାର୍ଯ୍ୟ କରୁଥିବା ଡକ୍ଟର ଦେବଦତ୍ତ ପଣ୍ଡା ଏବଂ କୃଷି ସମ୍ପ୍ରସାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡକ୍ଟର ଅନୁପମ ଡାକୁଆଙ୍କୁ ସେମାନଙ୍କର ଉତ୍କୃଷ୍ଟ ଗବେଷଣା ପାଇଁ ୨୦୨୫ର ସର୍ବଶ୍ରେଷ୍ଟ ପିଏଚଡି ଥେସିସ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏହାଛଡ଼ା ବିଶ୍ୱବିଦ୍ୟାଳୟ ୮ ଜଣ ଛାତ୍ରଛାତ୍ରୀ କୃଷି ବିଭାଗର ଜୀବନ୍ତ ଗବେଷଣା ପରିବେଶ ଉପରେ ଆଲୋକପାତ କରି ସମ୍ମିଳନୀ ସ୍ମାରକୀର ପ୍ରକାଶନରେ ଚୟନ ହୋଇଥିଲେ।
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗର ଡିଏନ୍ ପ୍ରଫେସର ଏନ.ସି. ପଣ୍ଡା କୃତୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳ ଛାତ୍ରଛାତ୍ରୀଙ୍କୁ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଉତ୍ସାହିତ କରିଥିଲେ।
Tags: #CUO #Goa #InternationalConference #Odisha