ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି। ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଶାଲାଇଭ୍ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି।

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି କିଡନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ସେ ପ୍ରାୟ ଚାରି ଦଶନ୍ଧି ଧରି ସାମ୍ବାଦିକତା କରୁଥିଲେ। ରାଜନୈତିକ ଖବର ପରିବେଷଣ ଉପରେ ତାଙ୍କର ବିଶେଷ ଦକ୍ଷତା ରହିଥିଲା। ସେ ‘ଦ ଏସିଆନ ଏଜ’, ଦିନଲିପି, ସ୍ଵରାଜ୍ୟ, ପର୍ଯ୍ୟବେକ୍ଷକ ଭଳି ଅନେକ ସଂସ୍ଥା ସହ କାମ କରିଛନ୍ତି। ବହୁଭାଷୀ ନ୍ୟୁଜ୍ ଏଜେନ୍ସି ହିନ୍ଦୁସ୍ଥାନ ସମାଚାର ସହିତ ମଧ୍ୟ ସେ ଜଡ଼ିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଏକ ଲେଖା ପୋଷ୍ଟ କରି ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରତି ଭାଇ ଭାବରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ବେଶ ଜଣାଶୁଣା ଥିଲେ। ତାଙ୍କର ଦୀର୍ଘ ଦିନର ସାମ୍ବାଦିକତା ଜୀବନରେ ସଚ୍ଚୋଟତା, ନିରପେକ୍ଷତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସ୍ମରଣୀୟ ରହିବେ।”

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ଵାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Tags: #SeniorJournalistRatikantMohanty #Death #Odisha #Journalist

LEAVE A REPLY

Please enter your comment!
Please enter your name here