ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍‌ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର ଏକ ପ୍ରୟାସ।

ଉତ୍କଳ ଗୌରବ ମଧୁସୂଦନ ଦାସ କେବଳ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାରା ନଥିଲେ; ତତ୍କାଳୀନ ଓଡ଼ିଶାରେ ଶିଳ୍ପ ଓ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱ ଦେଇ ଏକ ପ୍ରଗତିଶୀଳ ପ୍ରଦେଶ ନିର୍ମାଣ ଲାଗି ସ୍ୱପ୍ନ ଦେଖିଥିଲେ। ଉତ୍କଳ ଟ୍ୟାନେରି ଏବଂ ଓଡ଼ିଶା ଆର୍ଟ ଓୟାର୍ସ ଥିଲା ତାଙ୍କ ଶିଳ୍ପସମୃଦ୍ଧ ଚେତନାର ପ୍ରୟୋଗଶାଳା। ହେଲେ ଓଡ଼ିଶାର ସ୍ୱାଭିମାନ ଓ ଜାତୀୟ-ଜୀବନ ପ୍ରତିଷ୍ଠା ଭିତରେ ମାତି ମଧୁବାବୁ ଶିଳ୍ପକୁ ଯଥେଷ୍ଟ ବ୍ୟାବସାୟିକ ସଫଳତା ଦେଇପାରି ନଥିଲେ। ସେହି ଇତିହାସ ପୃଷ୍ଠାରୁ…

ମଧୁବାବୁ ଥିଲେ ଚିରକାଳ ଜଣେ ସ୍ୱପ୍ନଦର୍ଶୀ ତାରୁଣ୍ୟ। ତାଙ୍କ ସ୍ୱପ୍ନରେ ସ୍ୱତନ୍ତ୍ର ତରଙ୍ଗ ଥିଲା ନିଶ୍ଚୟ। କାରଣ ତାଙ୍କ ସ୍ୱପ୍ନ ସବୁବେଳେ ବାସ୍ତବତାକୁ ଆଧାର କରି ଗତିଶୀଳ ଥିଲା। ସେ ସ୍ୱପ୍ନ ଥିଲା ନିଜ ପାଇଁ ଏବଂ ଥିଲା ଜାତି ପାଇଁ। ସେଇଥିପାଇଁ ତାଙ୍କ ସମଗ୍ର ଜୀବନ ଜାତିର ସ୍ୱପ୍ନରେ ହିଁ ଆବିଷ୍ଟ ଥିଲା। ତାଙ୍କ ଜାତି ଓଡ଼ିଆ, ଅବଶିଷ୍ଟ ପୃଥିବୀରେ କିପରି ସ୍ୱତନ୍ତ୍ର ଦିଶିବ ତାହାହିଁ ଥିଲା ତାଙ୍କ ସ୍ୱପ୍ନ ସମଗ୍ର। ଜଣେ ନିଜ ପାଇଁ ସ୍ୱପ୍ନ ଦେଖିଲେ ଜାତି ପାଇଁ ସ୍ୱପ୍ନ ଦେଖିବ- ଏହା ହିଁ ଥିଲା ମଧୁବାବୁଙ୍କ କଥା।

୧୯୧୩ ମସିହାରେ ପୁରୀଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ନବମ ଅଧିବେଶନରେ ତାଙ୍କ ଅଭିଭାଷଣରେ କହିଥିଲେ- ‘‘ପ୍ରତ୍ୟେକ ବ୍ୟକ୍ତିର ଦୁଇଗୋଟି ଜୀବନ ଅଛି। ଗୋଟିଏ ହେଉଛି ବ୍ୟକ୍ତିଗତ, ଅନ୍ୟଟି ହେଉଛି ଜାତୀୟ ଜୀବନ। ମୋତେ ଯେବେ କୁ-ବାକ୍ୟ ଦ୍ୱାରା କେହି ସମ୍ବୋଧନ କରେ, ମୋର ତହିଁରେ ବିରକ୍ତି ଜାତ ହେବ। କିନ୍ତୁ ଯଦି କେହି ଓଡ଼ିଆ ଜାତି ପ୍ରତି କୁବାକ୍ୟ ପ୍ରୟୋଗ କରି ମୋତେ ସମ୍ବୋଧନ କରେ, ତାହା ହେଲେ ତଦ୍ୱାରା ମୋହର ବିରକ୍ତି ଜାତ ହେବ ଏବଂ ଆପଣମାନଙ୍କ ମଧ୍ୟରୁ ସମସ୍ତଙ୍କ ମନରେ ବିରକ୍ତି ଜାତ ହେବ। ପ୍ରଥମ ଦୃଷ୍ଟାନ୍ତରେ ବ୍ୟକ୍ତିଗତ ଜୀବନରେ ଆଘାତ ଲାଗିଲା। ଦ୍ୱିତୀୟ ଦୃଷ୍ଟାନ୍ତରେ ଜାତୀୟ ଜୀବନରେ ଆଘାତ ଲାଗିଲା। ଏଥିରୁ ଆପଣମାନେ ବୁଝିପାରିବେ ଯେ ପ୍ରତ୍ୟେକ ବ୍ୟକ୍ତିର ଦୁଇଗୋଟି ଜୀବନ ଅଛି ଏବଂ ଯେଉଁ ପରିମାଣରେ ସେ ଏହି ଦୁଇ ଜୀବନରେ ପରିଚାଳନା କରି ତଦନୁସାରେ ସେ ନିଜର ଉନ୍ନତି ପଥରେ କିମ୍ବା ଜାତିର  ଉନ୍ନତି ପଥରେ ଅଗ୍ରସର ହେବ।’’

ମଧୁବାବୁଙ୍କ ବଙ୍ଗଳା ଯାତ୍ରା ହିଁ ତାଙ୍କ ବ୍ୟକ୍ତିଗତ ଜୀବନକୁ ଓ ଜାତୀୟ ଜୀବନକୁ ଚିହ୍ନିବାର ସୁଯୋଗ ଦେଇଛି। ସେ ଉଚ୍ଚଶିକ୍ଷା ଆୟତନ ଭିତରକୁ ଯାଇଛନ୍ତି ଏବଂ ଅନୁଭବ କରିଛନ୍ତି ବିଦ୍ୟା ହିଁ କେବଳ ବ୍ୟକ୍ତି ଓ ଜାତୀୟ ସମ୍ପଦ ଏବଂ କ୍ଷମତା। ତେଣୁ ସେ ବିଦ୍ୟା ଅନୁରାଗୀ ହୋଇଛନ୍ତି। ପୁଣି ତାଙ୍କର ଅନ୍ୟ ଏକ ବିଶେଷ ଅନୁଭବ ହୋଇଛି ଯେ, ବଙ୍ଗଳାରେ ପାଶ୍ଚାତ୍ୟ ଜ୍ଞାନ କୌଶଳରେ ଶିଳ୍ପାୟତନର ଉଦ୍ୟମ ଏବଂ ଏଥିରେ ସମ୍ପୃକ୍ତି ରହିଛି ରାଜା, ଜମିଦାର ଓ ଧନୀକ ଗୋଷ୍ଠୀଙ୍କର। ଏବଂ ସେ ଅନୁଭବ କରିଛନ୍ତି ଇଂରେଜ ଜାତିର ବିକାଶ ମୂଳରେ ରହିଛି ଶିଳ୍ପ ବିପ୍ଳବ। କାରଣ ଶିଳ୍ପ ହିଁ ବିଦ୍ୟାର ବିକାଶ କରେ, ଦାରିଦ୍ର୍ୟର ଦୂରୀକରଣ କରେ। ଦେଶରେ ଉପଲବ୍ଧ ଗଚ୍ଛିତ ଓ ନଷ୍ଟ ହୋଇ ଯାଉଥିବା କଞ୍ଚାମାଲ୍‌ର ବିନିଯୋଗ ମାଧ୍ୟମରେ ହିଁ ନୂଆ ନୂଆ ଶିଳ୍ପ ଗଠନ କରାଯାଇପାରେ। ବଙ୍ଗଳାରେ ମଧୁବାବୁ ଏଇ ଅନୁଭବକୁ ପୁଞ୍ଜି କରି ଓଡ଼ିଶା ଆସିଛନ୍ତି ୧୮୮୧ ମସିହାରେ, ଯୋଜନାବଦ୍ଧ ଭାବରେ।

ଓଡ଼ିଆମାନଙ୍କର ଦାରିଦ୍ର୍ୟର କାରଣକୁ ସେ ଅନୁଭବ କରିଛନ୍ତି। ବାଣିଜ୍ୟ ଓ ଶିଳ୍ପାନୁରାଗୀ ହୋଇଛନ୍ତି। ବାଣିଜ୍ୟର ପ୍ରଥମ ଉଦ୍ୟମ କଟକରେ କୋ-ଅପରେଟିଭ୍ ସମବାୟ ବିକ୍ରୟ କେନ୍ଦ୍ରର ପ୍ରତିଷ୍ଠା, ତାଙ୍କ ଘରେ ଏବଂ, ଓଡ଼ିଶଶର ପାରମ୍ପରିକ ବୃତ୍ତିଜୀବୀମାନଙ୍କ ବିଦ୍ୟା ଓ ଉପଲବ୍ଧ କଞ୍ଚାମାଲକୁ ଆଧାର କରି କଟକରେ ଶିଙ୍ଗ ଓ ତାରକସୀ କାମ ଏବଂ ଜୋତା ତିଆରି କାରଖାନା ପ୍ରତିଷ୍ଠା। ଉତ୍କଳ ସମ୍ମିଳନୀ ମଣ୍ଡପରେ ସେ ଏଇ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଶାର ଦାରିଦ୍ର୍ୟ ଦୂରିକରଣ କଥା ହିଁ କହିଛନ୍ତି ଏବଂ ଖାଲି କହି ନାହାନ୍ତି ଏହାକୁ କାର୍ଯ୍ୟକାରୀ କରିବା ଲାଗି ଉଦ୍ରମ କରିଛନ୍ତି। ଶିଳ୍ପବିଦ୍ୟାର ବିକାଶ ପ୍ରକ୍ରିୟା ଅନୁଭବ କରିବା ଲାଗି ସେ ଦୁଇ ଦୁଇ ଥର ଇଂଲଣ୍ଡ ଯାଇଛନ୍ତି ଏବଂ ବିଦେଶ ଅନୁଭବ ଓ କୌଶଳକୁ ନିଜ ଭୂମିରେ  ପ୍ରୟୋଗ କରିଛନ୍ତି। କଟକର ଚୌଧୁରୀ ବଜାରରେ ପ୍ରତିଷ୍ଠିତ ଓଡ଼ିଆ ଆର୍ଟଓୟାର୍ ଏବଂ ଚାଉଳିଆଗଞ୍ଜରେ ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀ ତାଙ୍କ ଶିଳ୍ପ ମାନସିକତାର ରୂପରେଖ।

ଉତ୍କଳ ଟ୍ୟାନେରୀ ସୃଷ୍ଟି ହେଲା ୧୯୦୫ ମସିହାରେ। ଏହି ଜୋତା କାରଖାନାରେ ଖାଲି ଜୋତା ତିଆରି ହେଉନଥିଲା, ଏଥିରେ ମିଶି ରହିଥିଲା ଓଡ଼ିଆ ଜାତିର ସ୍ୱାଭିମାନ। ଏହା ହିଁ ଥିଲା ମଧୁବାବୁଙ୍କ ଶିଳ୍ପାୟନର ପ୍ରତିଶ୍ରୁତିବଦ୍ଧତା। ଉତ୍ପାଦନର ମାନ ପ୍ରତି ସେ ଥିଲେ ଅଧିକ ସଚେତନ। ଉତ୍ପାଦନର ମାନ (କ୍ୱାଲିଟି କଣ୍ଟ୍ରୋଲ) ଦିଗରେ ସେ କେତେ ସ୍ପର୍ଶକାତର ଥିଲେ ତାହାର ଉଦାହରଣ ହେଉଛି – ସାମାନ୍ୟ ତ୍ରୁଟି ଦେଖିଲେ ସେ ସବୁ ଜୋତା ନଷ୍ଟ ବା ପୋଡ଼ି ଦେଉଥିଲେ। ଜୋତା କାରଖାନା କରିବାର ଅଭିଳାଷ ତାଙ୍କର ଜାତ ହୋଇଥିଲା ବ୍ରିଟେନ୍ର ଜୋତା କାରଖାନାକୁ ଦେଖିବା ପରେ। ସେଠାରେ ସେ ଗୋଟିଏ ଜାତିର ବିକଶିତ ରୂପ ଦେଖିଥିଲେ ଶିଳ୍ପ ମାଧ୍ୟମରେ।

ପୁଣି ଦେଖିଥିଲେ ଗୋଧି ଚମଡ଼ାରେ ତିଆରି ନରମ ଜୋତାର ୟୁରୋପରେ ଚାହିଦା। ତେଣୁ ମଧୁବାବୁ ଭାବିଲେ, ଓଡ଼ିଶାରେ ପ୍ରଚୁର ଗୋଧିଚମଡ଼ା ସହିତ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଚମଡ଼ା ମଧ୍ୟ ସହଜରେ ଉପଲବ୍ଧ ହୋଇପାରିବ। ତା’ଛଡ଼ା ଚାଉଳିଆଗଞ୍ଜ ଓ ନୂଆବଜାରରେ ବି ଚାଳିଶ ଏକର ଜମିକୁ ସେ ବିନିଯୋଗ କରିପାରିବେ। ବାସ୍। ଏବେ ଆରମ୍ଭ ହୋଇଗଲା ଦେଶୀ ଓ ବିଦେଶୀ (ବବୁରକୁଲି) ଶୈଳୀର ଜୋତା ତିଆରି। କାରଖାନାରେ କାମ କଲେ ପ୍ରାୟ ଦେଢ଼ଶହରୁ ଅଧିକ କର୍ମଚାରୀ। ଦୈନିକ ବ୍ୟୟ ଏଥିପାଇଁ ହେଉଥିଲା ପ୍ରାୟ ଦୁଇ ହଜାର ଟଙ୍କା। ‘ଉତ୍କଳ ଟ୍ୟାନେରୀ’ ହେଲା ଓଡ଼ିଶାର ପ୍ରଥମ ଜଏଣ୍ଟ ଷ୍ଟକ୍ କମ୍ପାନି। ଓଡ଼ିଆମାନେ ଦେଖିଲେ ଏକ ପ୍ରଗତିଶୀଳ ଓଡ଼ିଶାର ସ୍ୱପ୍ନ।

Tags: #MadusudanDas #UtkalGouravMadhusudanDas #MadhuBabu #Odia #Odisha #MadhuBarister

Comment