ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ରେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନର ଶେଷ ତାରିଖ ରହିଛି ମେ’ ୧୦। ଆଗ୍ରହୀ ଛାତ୍ରଛାତ୍ରୀ ଅନ୍ଲାଇନ କିମ୍ବା ଅଫ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏନେଇ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଆନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।
ଗତ ମାର୍ଚ୍ଚ ୩ ତାରିଖଠାରୁ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପ୍ରିଲ ୩୦ ଆବେଦନର ଶେଷ ତାରିଖ ରହିଥିଲା। କିନ୍ତୁ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟାକୁ ବଢ଼ାଇ ଦିଆଯାଇଛି।
ପ୍ରବେଶିକା ପରୀକ୍ଷା ମେ’ ୧୯ ତାରିଖରେ ଅନୁଷ୍ଠିତ ହେବ। ପ୍ରବେଶିକା ପରୀକ୍ଷାରେ ଆଶାୟୀଙ୍କ ଓଡ଼ିଆ ଭାଷା ବ୍ୟବହାରର ପାରଦର୍ଶିତା, ଲିଖନ ଦକ୍ଷତା, ସାଧାରଣ ଜ୍ଞାନ ଓ ସାମ୍ବାଦିକତା ପ୍ରତି ଆଗ୍ରହ ଆଦିର ମୂଲ୍ୟାୟନ କରାଯିବ ବୋଲି ଡକ୍ଟର ଆନନ୍ଦ ପ୍ରଧାନ କହିଛନ୍ତି।
ଏହି ବର୍ଷିକିଆ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହିତ ଛାତ୍ରଛାତ୍ରୀଙ୍କୁ ସାମ୍ବାଦିକତା, ଗଣମାଧ୍ୟମ ଲିଖନ, ରିପୋର୍ଟିଂ, ସମ୍ପାଦନା, ଡିଜିଟାଲ ଯୋଗାଯୋଗ ଓ ଲୋକସମ୍ପର୍କ ଆଦି ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରାଯିବ।
ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ମୋଟ ୩୦ଟି ଆସନ ରହିଛି। ଏଥିମଧ୍ୟରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର ବର୍ଗ, ଭିନ୍ନକ୍ଷମ ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ରହିଛି। ସ୍ନାତକ ଡିଗ୍ରୀ ସମାପ୍ତ କରିଥିବା ଏବଂ ସ୍ନାତକ ଶେଷ ବର୍ଷରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ।
ଆବେଦନକାରୀ ଆଇଆଇଏମସିର ୱେବ୍ସାଇଟ୍ https://iimc.gov.in/language-courses-25-26 ରୁ ନାମଲେଖା ଫର୍ମ ଡାଉନ୍ଲୋଡ୍ କରିପାରିବେ କିମ୍ବା ୱେବ୍ସାଇଟ୍ରେ ଦିଆଯାଇଥିବା https://forms.gle/ZzU1Ftf7UCe9kFr37 ଗୁଗୁଲ୍ ଲିଙ୍କ୍ ମାଧ୍ୟମରେ ଅନ୍ଲାଇନ୍ ଆବେଦନ କରିପାରିବେ।
ଏହାସହ ଢେଙ୍କାନାଳସ୍ଥିତ ଆଇଆଇଏମସି କ୍ୟାମ୍ପସର ପ୍ରଶାସନିକ କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ରେଳ ସଦନ ପଛ ପଟେ ଥିବା ପ୍ରେସ୍ ଇନଫର୍ମସେନ ବ୍ୟୁରୋ କାର୍ଯ୍ୟାଳୟ ଏବଂ କଟକସ୍ଥିତ ଚଳଚ୍ଚିତ୍ର ଭବନରେ ଥିବା ସିବିଏଫସି ଆଞ୍ଚଳିକ କାର୍ଯ୍ୟାଳୟରୁ ଫର୍ମ ନେଇ ଆବେଦନ କରିପାରିବେ। ପାଠ୍ୟକ୍ରମ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତିଙ୍କୁ ୯୪୩୭୪୪୪୨୦୦ ଏହି ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି।
Tags: #IIMC #JournalismAndMassCommunication # Application #Admission #EntranceExam #Education #Dhenkanal


















