ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ – ‘ଆମ ସଂକଳ୍ପ: ନିଶା ନୁହେଁ, ଜୀବନ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମେ’ ୩୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ଜୁନ ୨୬ ତାରିଖ ଅନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ଦିବସ ପର୍ଯ୍ୟନ୍ତ ଚାଲିବ।

ଯୁବପିଢ଼ି ନିଶାଠାରୁ ଦୂରେଇ ରହିବା ସହ ନିଶାଦ୍ରବ୍ୟ, ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଆରମ୍ଭ ହେଉଥିବା ସଚେତନତା ଅଭିଯାନରେ ସମସ୍ତେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ନିଶା ନୁହେଁ, ଜୀବନକୁ ଗ୍ରହଣ କର”।

ଭାରତରେ ବର୍ଷକୁ ପ୍ରାୟ ୧୪ ଲକ୍ଷ ଲୋକ ତମାଖୁ ସେବନ ଯୋଗୁଁ ଜୀବନ ହରାଉଛନ୍ତି। ତମାଖୁ, ବିଷାକ୍ତ ମଦ ଏବଂ ଡ୍ରଗ୍ସର ବ୍ୟବହାର ଓ ପ୍ରସାରକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ପ୍ରଥମ ପର୍ଯ୍ୟାୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ମେ’ ୩୧ରୁ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ସଚେତନତା ଅଭିଯାନ ଆସନ୍ତା ଜୁନ ୨୬ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ, ତୃତୀୟ ପର୍ଯ୍ୟାୟ ଆସନ୍ତା ଅକ୍ଟୋବର ୨ ଏବଂ ଚତୁର୍ଥ ପର୍ଯ୍ୟାୟ ଡିସେମ୍ବର ୨୫ରୁ ଆସନ୍ତା ୨୦୨୬ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ ବର୍ଷ ଧରି ଏହି ସଚେତନତା ଅଭିଯାନ ଜାରି ରହିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, “ତମାଖୁଜନିତ ମୃତ୍ୟୁକୁ ରୋକିବା ପାଇଁ ଗୋଟିଏ ଉପାୟ ହେଉଛି ସଚେତନତା। ଏହାର ଭୟାବହତା ଜାଣିବା ସତ୍ତ୍ୱେ ଏଥିରୁ ଲୋକେ ଦୂରେଇ ପାରୁନାହାନ୍ତି। ପ୍ରତ୍ୟେକ ବ୍ୟକ୍ତି ଏଥିପ୍ରତି ସଚେତନ ହେବା ସହ ଅନ୍ୟକୁ ସଚେତନ କରିବା ପାଇଁ ଆଗେଇ ଆସିବା ଜାରୁରୀ।”

ସେ ଆହୁରି କହିଥିଲେ, ନିଶା ଦ୍ରବ୍ୟ ବ୍ୟବହାର, ବିଷାକ୍ତ ମଦ ଓ ଚୋରା ମଦର ବ୍ୟାପକତାକୁ ରୋକିବାକୁ ଅବକାରୀ, ଗୃହ ବିଭାଗ ଓ ନିଶା ନିୟନ୍ତ୍ରଣ ବ୍ୟୁରୋର ମିଳିତ ଉଦ୍ୟମରେ ଧରପଗଡ଼ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତମାଖୁ ସହିତ ସବୁ ପ୍ରକାର ନିଶା ଦ୍ରବ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଖୁବ୍ ଶୀଘ୍ର ନୂତନ ଅବକାରୀ ନୀତି ପ୍ରଣୟନ କରାଯିବ ବୋଲି ସେ କହିଥିଲେ।

ଏହି ଅବସରରେ ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ସଚେତନତା ଅଭିଯାନର ଲୋଗୋ, ଟିଭି ସ୍ପଟ, ଥିମ୍ ସଙ୍ଗ୍ ଏବଂ ସୂଚନା ପୁସ୍ତିକାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଆଇନ, ଅବକାରୀ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ, ନିଶା ବ୍ୟବହାର ଯୋଗୁଁ ଅନେକ ଜୀବନ ଯାଉଛି। ଏଥିପ୍ରତି ସଚେତନତା ବୃଦ୍ଧି କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ତମାଖୁ, ମଦ, ଡ୍ରଗ୍ସର ବ୍ୟବହାର ଓ ପ୍ରସାର ରୋକିବା ପାଇଁ ଏଭଳି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ସମାଜର ଶେଷ ଲୋକ ପର୍ଯ୍ୟନ୍ତ ଏହି ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ରାଜ୍ୟ ସରକାର ସଂକଳ୍ପ ବଦ୍ଧ।

ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ଯୋଗଦେଇ କହିଥିଲେ ଯେ, “ସମୃଦ୍ଧ ଓ ବିକଶିତ ଓଡ଼ିଶାରେ ଯେପରି ନିଶାର କୌଣସି ସ୍ଥାନ ନଥିବ ସେଥିପ୍ରତି ଆମେ ସମସ୍ତେ ଆଜି ସଂକଳ୍ପ ନେବା। ନିଶା ବନ୍ଦ ହେଲେ, ସମାଜରୁ ଅପରାଧ ମଧ୍ୟ କମିବ। ତେଣୁ, ନିଶା ବିରୋଧରେ ଆମେ ସମସ୍ତେ ଏକାଠି ହେବାର ଆବଶ୍ୟକତା ରହିଛି।”

ନିଶାମୁକ୍ତି ଅଭିଯାନର ବ୍ରାଣ୍ଡ ଆମ୍ବାସଡର ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ଅବସରରେ ଯୋଗଦେଇ କହିଥିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଘରେ ଘରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ।

କାର୍ଯ୍ୟକ୍ରମରେ ଅବକାରୀ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ସ୍ୱାଗତ ଭାଷଣ ଥିଲେ। ସେହିପରି ଅବକାରୀ ବିଭାଗର ଯୁଗ୍ମ ସଚିବ ଅର୍ଚ୍ଚନା ପଟ୍ଟନାୟକ, ରାଜ୍ୟ ଅବକାରୀ କମିଶନର ଧର୍ମେନ୍ଦ୍ର ମଲ୍ଲିକ ଓ ବିଭାଗୀୟ ସ୍ଵତନ୍ତ୍ର ସଚିବ ତଥା ଓଡ଼ିଶା ରାଜ୍ୟ ପାନୀୟ ନିଗମର ପରିଚାଳନା ନିର୍ଦ୍ଦେଶକ ଅମ୍ବର କୁମାର କର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଅବକାରୀ ଅଧିକ୍ଷକମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।

Tags: #IllegalExciseBusiness #ExciseDept #AwarenessCampaign #OdishaGovt #CMMohanCharanMajhi #Odisha #DrugTrafficking

Comment