ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ ଭୁବନେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗତକାଲି ବୈକୁଣ୍ଠନାଥଙ୍କର ୭ଟି ଠିକଣା ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍ସ ଟିମ୍।

କୋଟିପତି ସରକାରୀ ବାବୁ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଭୁବନେଶ୍ଵର, ପୁରୀ ଓ ଅନୁଗୁଳର ୭ଟି ଠିକଣା ଉପରେ ଏକକାଳୀନ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ୍। ଚଢ଼ଉ ବେଳେ ତାଙ୍କର ଭୁବନେଶ୍ଵରରେ ଥିବା ଫ୍ଲାଟ, ଅନୁଗୁଳରେ ଦୁଇ ମହଲା ବିଶିଷ୍ଟ କୋଠା, ପିପିଲିରେ ଗୋଟିଏ ଫ୍ଲାଟ ଠାବ ହୋଇଥିଲା। ଏହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସେହିପରି ପୁରୀରେ ୪ଟି ଓ ଅନୁଗୁଳରେ ୩ ପ୍ଲଟ ମଧ୍ୟ ଠାବ ହୋଇଛି। ଏହାର ମୂଲ୍ୟ ଆଢ଼େଇ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ବ୍ୟାଙ୍କଜମା, ବୀମାର ସନ୍ଧାନ ମିଳିଛି।

ସେୟାର ବଜାରରେ ତାଙ୍କର ୨ କୋଟି ୭ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଥିବା ଜଣାପଡ଼ିଛି। ଏହା ବ୍ୟତୀତ ୧,୧୪୧ ଗ୍ରାମର ସୁନାଗହଣା, ୫୦୦ ଗ୍ରାମର ରୁପା, ୧୫ଟି ଦାମୀ ହାତଘଣ୍ଟା, ୧୫ ଲକ୍ଷ ଟଙ୍କା ମୂଲ୍ୟର ଆସବାବପତ୍ର ଓ ସହିତ ଗୋଟିଏ କାର ଠାବ କରାଯାଇଛି।

ଗତକାଲି ଭୁବନେଶ୍ଵରସ୍ଥିତ ଡୁମଡୁମା ଘରୁ ନଗଦ ୧ କୋଟି ୩୪ ଲକ୍ଷ ଟଙ୍କା ଓ ଅନୁଗୁଳ ଘରୁ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ ହୋଇଥିଲା।

ଜବତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ।

ପୂର୍ବରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଏହି ଚଢ଼ଉ କରାଯାଇଥିଲା। ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଡିଏସପି ଅନୁଷ୍କା ସେନାପତିଙ୍କ ନେତୃତ୍ଵରେ ୮ ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଥିଲେ।

Tags: #VigilanceRaid #RuralDevelopmentDepartment #Odisha #BaikunthanathSarangi #Odisha

Comment