ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରିଫ ହେଲେ ବ୍ରହ୍ମପୁର ଆରଆଣ୍ଡବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ ଦିଲ୍ଲୀପ କୁମାର ଚୌଧୁରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦିଲ୍ଲୀପ ଚୌଧୁରୀଙ୍କୁ ଗିରଫ କରିଛି ଭିଜିଲାନ୍ସ।
ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ ଦିଲ୍ଲୀପ କୁମାର ଚୌଧୁରୀଙ୍କ ବ୍ରହ୍ମପୁର ଧର୍ମନଗରରେ ସ୍ପେକ୍ଟ୍ରମ ରୟାଲରେ ଥିବା ଫ୍ଲାଟ, ମୟୂର ବିହାରରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା, କାର୍ଯ୍ୟାଳୟ ଓ ଭୁବନେଶ୍ଵର ସହିଦ ନଗରରେ ଥିବା ଫ୍ଲାଟରେ ଏକକାଳୀନ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ। ଦିଲ୍ଲୀ ଚୌଧୁରୀଙ୍କର ଆୟଠାରୁ ୧୧୯ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଚଢ଼ଉ ବେଳେ ଜଣାପଡ଼ିଛି।
ସରକାରୀ ବାବୁଙ୍କର ୧ କୋଟି ଟଙ୍କା ମୂଲ୍ୟର ଆଲିସାନ ଘର ସାଙ୍ଗକୁ ଦେଢ଼ କୋଟି ଟଙ୍କା ମୂଲ୍ୟର ଦୁଇଟି ଫ୍ଲାଟ, ୨ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ଲଟ ଓ ୩୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିତ ଠାବ ହୋଇଛି। ଜବତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାକୁ ଦିଲ୍ଲୀପ କୁମାର ଚୌଧୁରୀଙ୍କୁ ଗିରଫ କରାଯାଇଛି।
ପୂର୍ବରୁ ସରକାରୀ ବାବୁ ଦିଲ୍ଲୀପ ଚୌଧୁରୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।
Tags: #Vigilance #NDillipChoudhury #RAndBDivision #Berhampur #Odisha















