ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ନୀତି। ଏବେ ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ବଡ଼ଠାକୁରଙ୍କର ଏହି ଅପୂର୍ବ ବେଶ ଦର୍ଶନ କରିବାକୁ ପୁରୀରେ ଭକ୍ତ ସମାଗମ।
ଶ୍ରୀମନ୍ଦିରର ରତ୍ନବେଦୀ ଛାଡ଼ି ସ୍ନାନ ମଣ୍ଡପରେ ବିରାଜିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ପ୍ରଭୁ ବଳଭଦ୍ର, ଏହାପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ଆସି ସ୍ନାନ ମଣ୍ଡପରେ ବିଜେ କରିଥିଲେ। ଦିନ ପ୍ରାୟ ୧୨ଟା ୩୦ ସମୟରେ ଆରମ୍ଭ ହୋଇଥିଲା ମହାସ୍ନାନ ନୀତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିଲେ ଦାରୁ ବିଗ୍ରହ। ଏବେ ଗଜବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ।
ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ଅନୁସାରେ ଶନିବାର ଭୋର୍ ୪ଟାରେ ଶ୍ରୀମନ୍ଦିରରେ ମଙ୍ଗଳାର୍ପଣ ପରେ ସକାଳ ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ବେଦୀରେ ବିରାଜିବା ପରେ ମଙ୍ଗଳଆଳତି ନୀତି ହୋଇଥିଲା। ଏହାପରେ ତଡ଼ପ ଲାଗି ଓ ଅବକାଶ ନୀତି ସମ୍ପନ୍ନ ହୋଇଥିଲା।
ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି ସରିବା ପରେ ଅପରାହ୍ଣ ୩ଟା ୩୦ରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ନାନ ମଣ୍ଡପରେ ଛେରା ପହଁରା କରିଥିଲେ। ଏହାର ୩ଟା ୪୦ରୁ ମହାପ୍ରଭୁଙ୍କର ଗଜବେଶ ଆରମ୍ଭ ହୋଇଥିଲା।
ଶ୍ରୀମନ୍ଦିରରେ ରାତି ୭ଟା ୩୦ରୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଚାଲିବ। ରାତି ୧୦ଟା ୩୦ରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟା ସମୟରେ ବେଶ ଓଲାଗି ଓ ରାତି୧୧ଟା ୩୦ରେ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ।
ଅନ୍ୟପଟେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାସହ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯିବା ସହ ୭୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।
Tags: #DebasnanaPurnima #Puri #ShreeMandir #ShreeJagannath #SecurityArrangement #Odisha #Tradition

















