ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ବିଶିଷ୍ଟ ସାରସ୍ୱତ ସାଧକ ତଥା ରାଷ୍ଟ୍ରବାଦୀ ସଂଗଠକ ହରିହର ନନ୍ଦଙ୍କ ତୈଳଚିତ୍ର କଟକସ୍ଥିତ ଶତାବ୍ଦୀ ଭବନଠାରେ ଉନ୍ମୋଚିତ ହୋଇଯାଇଛି।
ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ରାଷ୍ଟ୍ରୀୟ ଏକତା ଓ ସଂହତିର ସୁରକ୍ଷା ପାଇଁ ହରିହର ନନ୍ଦଙ୍କ ଜୀବନବ୍ୟାପୀ ସାଧନା ବାସ୍ତବରେ ଉଲ୍ଲେଖନୀୟ ଓ ଉଦାହରଣୀୟ ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ହରିହର ନନ୍ଦଙ୍କ ସାରସ୍ୱତ ସାଧନା, ସାଙ୍ଗଠନିକ ଦକ୍ଷତା ଓ ନିରନ୍ତର ଦେଶସେବା ସମ୍ପର୍କରେ ଆଲୋକପାତ କରିଥିଲେ। ବିଶିଷ୍ଟ ସାରସ୍ୱତ ସାଧକ ‘ରାଷ୍ଟ୍ରଦୀପ’ର ପୂର୍ବତନ ସମ୍ପାଦକ ଜଗବନ୍ଧୁ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ହରିହର ନନ୍ଦଙ୍କୁ ଜଣେ ବାଗ୍ମୀ, ବିଦ୍ୱାନ, ବହୁଦର୍ଶୀ, ଜାତୀୟତାବାଦୀ ସୃଷ୍ଟିସମ୍ଭାରର ସଫଳ ସ୍ରଷ୍ଟା ଓ ମୌଳିକ ଚିନ୍ତକ ଭାବେ ଉପସ୍ଥାପନା କରିଥିଲେ।
ସୁଶ୍ରୀ ସୁବର୍ଣ୍ଣରେଖା ପ୍ରଧାନ ହରିହର ନନ୍ଦଙ୍କ କବିତା ଗାନ କରିଥିଲେ। ଚିତ୍ରଶିଳ୍ପୀ ଜୟଶଙ୍କର ମହାରଣା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ତୈଳଚିତ୍ର ପ୍ରଦାନ କରିଥିଲେ। ଅନୁଷ୍ଠାନର ଉପସଭାପତି ଜୀବନାନନ୍ଦ ଅଧିକାରୀ ଅତିଥିଙ୍କୁ ଆମନ୍ତ୍ରଣ କରିଥିବା ବେଳେ ସଂଗଠନ ସମ୍ପାଦକ ଡକ୍ଟର ସୁନାମଣି ରାଉତ ଉତ୍କଳ ସାହିତ୍ୟ ସମାଜର ସ୍ମାରକୀପତ୍ର ପାଠ କରିଥିଲେ।
କାର୍ଯ୍ୟକ୍ରମରେ ହରିହରନନ୍ଦଙ୍କ ପରିବାର ସଦସ୍ୟ, ଆତ୍ମୀୟସ୍ୱଜନ, ସାରସ୍ୱତ ସାଧକ, ସାହିତ୍ୟାନୁରାଗୀ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସାହିତ୍ୟ ସମାଜର ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ, କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ଶଶିକାନ୍ତ ରାଉତ, ଦିଲ୍ଲୀପ ଦାସ, ମୁରଲୀଧର ଶତପଥୀ, ତପନ କୁମାର ସ୍ୱାଇଁ, ସରୋଜ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପ୍ରଜ୍ଞା ପରିମିତା ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମିତି ସଦସ୍ୟ ରାଧାଶ୍ୟାମ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #HariharNanda #UtkalSahityaSamaj #Odisha #Portrait


















