ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ଖରାଛୁଟି। ରାଜ୍ୟରେ ଜୁନ ୨୦ ତାରିଖରୁ ସ୍କୁଲ ଖୋଲିବ। ଜୁନ ୧୮ ତାରିଖ ବଦଳରେ ସ୍କୁଲ ଖୋଲିବାକୁ ବିଦ୍ୟାଳାୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି କରାଯାଇଛି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ୨୩ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ହୋଇଥିଲା। ଜୁନ ୧୮ ତାରିଖରେ ସ୍କୁଲ ଖୋଲିବାକୁ ପୂର୍ବରୁ ଯୋଜନା କରାଯାଇଥିଲେ ମଧ୍ୟ ଜୁନ ୨୦ ତାରିଖରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି।
ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ସିଆରସିସି ଓ ବିଇଓ ଭୋଜନ ସାମଗ୍ରୀର ମାନ ଯାଞ୍ଚ କରିବେ।
ମଧ୍ୟାହ୍ନ ଭୋଜନ ରନ୍ଧା ଯାଉଥିବା ସ୍ଥାନକୁ ପରିସ୍କାର ପରିଚ୍ଛନ୍ନ ରଖିବାକୁ ନିର୍ଦ୍ଦେଶ ରହିଛି। ଡିଇଓ, ବିଇଓ ଓ ସିଆରସିସି ନିରବଚ୍ଛିନ୍ନ ଭାବେ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ। ସବୁ ସ୍କୁଲମାନଙ୍କରେ ଫୁଡ ଟେଷ୍ଟିଂ ରେଜିଷ୍ଟ୍ରର ରହିବ। ବିଶେଷ କରି ମା’ ମାନେ ଖାଦ୍ୟ ଯାଞ୍ଚ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
Tags: #School #Education #SummerVacation #Odisha #SchoolReopen


















