ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ। ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇ ସେ ଜେଲରେ ଥିଲେ। ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟ ଆବେଦନର ଶୁଣାଣି କରି ବୁଧବାର ଦିନ ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଭୁବନେଶ୍ଵର ଡିସିପିଙ୍କ ନିକଟରେ ଜଗନ୍ନାଥ ପ୍ରଧାନ ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ଜୁଲାଇ ୪ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ଜଗନ୍ନାଥ ପ୍ରଧାନଙ୍କ ଗିରଫ ପରେ ଓଏଏସ୍ ସଂଘ ପକ୍ଷରୁ ଜାରି ରହିଥିବା ଧର୍ମଘଟ ପ୍ରତ୍ୟାହାର ହୋଇଥିଲା। ଜଗନ୍ନାଥ ପ୍ରଧାନଙ୍କ ପୂର୍ବରୁ ଏହି ଘଟଣାରେ ସଂଜୀବ ମିଶ୍ର, ସଚ୍ଚିକାନ୍ତ ସ୍ଵାଇଁ , କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମୀ ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଥିଲା।

ଗତ ଜୁନ ୩୦ ତାରିଖରେ ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା। କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ଏହି ସମୟରେ ୫ରୁ ୭ ଜଣ ଦୁର୍ବୃତ୍ତ ରତ୍ନାକର ସାହୁଙ୍କ ଚାମ୍ବରକୁ ଧସେଇ ପଶିଥିଲେ। ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ, ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

ଘଟଣାକୁ ନେଇ ଅତିରିକ୍ତ କମିଶନର ରତ୍ନାକର ସାହୁ ଖାରବେଳ ନଗର ଥାନାରେ ମାମଲା ରୁଜୁ କରିଥିଲେ।

Tags: #BMCADC #Attack #JagannathPradhan #BJP #Bail #Bhubaneswar #Odisha

Comment