ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଏଠି ପ୍ରେମ କରିବା ପାପ। ପ୍ରେମ କଲେ ମିଳିବ କଠୋର ଦଣ୍ଡ, ବସିବ କଙ୍ଗାରୁ କୋର୍ଟ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବୋରିଗି ପଞ୍ଚାୟତର ନାଡିମିଇଟିକି ଗାଁରେ।
ପରମ୍ପରା ନାଁରେ ସୀମା ଟପିଛି ମାନବିକତା। ଗାଁ ଦଣ୍ଡାରେ ପ୍ରେମୀ ଯୁଗୋଳଙ୍କୁ ମିଳିଛି ଦଣ୍ଡ। ସମ୍ପର୍କରେ ଭାଇ ଭଉଣୀ ହୋଇଥିବାରୁ ପ୍ରେମ କରିବା ଗାଁ ଲୋକଙ୍କ ଆଖିରେ ପାପ ପାଲଟିଛି। ସେଇଥିପାଇଁ ପ୍ରେମୀ ଯୋଡ଼ିଙ୍କ ବେକରେ ଯୁଆଳି ପକାଇ ଗାଁ ଦାଣ୍ଡରେ ହଳ ବୁଲାଇଲେ ଗ୍ରାମବାସୀ। ଏହି ସମୟର ଏକ ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି।
ଲଜ୍ଜା ଏବଂ ଅପମାନରେ ପ୍ରେମୀ ଯୋଡ଼ି ମୁଣ୍ଡ ନୁଆଁଇ ଥିବା ବେଳେ ଗାଁ ଦାଣ୍ଡରେ ଏହି ଦୃଶ୍ୟକୁ ଗ୍ରାମବାସୀ ଉପଭୋଗ କରୁଥିବା ମନେ ହେଉଛି। କିଛି ଲୋକ ଏହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରୁଛନ୍ତି। ପ୍ରଥା ନାଁରେ ଏଭଳି ଅମାନବୀୟ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ଖବର ପାଇ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ଘଟଣା ତଦନ୍ତ କରୁଛନ୍ତି।
Tags: #PunishmentForLove #Narayanpatna #KangarooCourt #Koraput #Odisha


















