ଓଡ଼ିଶାଲାଇଭ୍ ବ୍ୟୁରୋ
ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ବନ୍ୟା ବିପନ୍ନଙ୍କ ଦୁଃଖ ବଢ଼ିବାକୁ ଲାଗିଛି। ବାଲେଶ୍ଵର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୧ ହଜାରରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି।
ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀରେ ଜଳସ୍ତର ଲଗାତର ବୃଦ୍ଧି ପାଉଛି। ଆହୁରି ୨ ଦିନ ବର୍ଷା ସମ୍ଭାବନା ଥିବାରୁ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା କରାଯାଉଛି।
ମୟୂରଭଞ୍ଜ ଓ ବାଲେଶ୍ୱରରେ ବନ୍ୟା ପ୍ରକୋପ ଅଧିକ ଥିବାରୁ ଉଭୟ ଜିଲ୍ଲାର ୯ଟି ବନ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଓ ଓଡ୍ରାଫ ବାହିନୀଙ୍କୁ ନିୟୋଜିତ କରାଯାଇଛି। ପ୍ରଭାବିତଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ।
Tags: #Flood #FloodSituation #Odisha


















