ଓଡ଼ିଶାଲାଇଭ୍ ବ୍ୟୁରୋ

ଉଇକିପିଡିଆ ଓ ଉଇକିପିଡିଆର ବାର୍ଷିକ ଉତ୍ସବ ‘ଉଇକିମାନିଆ ୨୦୨୫’ ଚଳିତବର୍ଷ କେନିଆର ନାଇରୋବି ସହରରେ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶାରୁ ଉଇକିପିଡିଆରେ ଓଡ଼ିଆ ଏବଂ ସାନ୍ତାଳି ଭାଷାରେ ସ୍ୱେଚ୍ଛାକୃତ ଭାବେ ଲେଖୁଥିବା ବ୍ୟକ୍ତିମାନେ ଯୋଗ ଦେଇଛନ୍ତି। ଅଗଷ୍ଟ ୬ରୁ ଆରମ୍ଭ ହୋଇଥିବା ଉଇକିମାନିଆର ୨୦ତମ ବାର୍ଷିକ ଉତ୍ସବ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଉଇକିମିଡିଆନ୍ସ ଇଉଜର୍ ଗ୍ରୁପ୍‌ର ସଦସ୍ୟ ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ପ୍ରତିନିଧିତ୍ୱ କରିଥିଲେ। ଚିନ୍ମୟୀ ବୃତ୍ତିରେ ଜଣେ ଇଞ୍ଜିନିୟର ଏବଂ ୨୦୧୫ ମସିହାରେ ଉଇକିମିଡିଆ ସହ ଯୋଡ଼ି ହୋଇଥିଲେ। ଚିନ୍ମୟୀ ଏଥର ଉଇକିମାନିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିବାବେଳେ ଉଇକି ଓମେନ୍ସ କ୍ୟାମ୍ପର ବିଶେଷ ଆୟୋଜନ କରିଥିଲେ।

ସେହିପରି ୨୦୧୪ ମସିହାରୁ ଉଇକିମିଡିଆରେ ଯୋଗ ଦେଇଥିବା ସଂଗ୍ରାମ କେଶରୀ ସେନାପତି ଓଡ଼ିଆ ଉଇକିପିଡିଆ, ଓଡ଼ିଆ ଉଇକିପାଠାଗାର, ଉଇକିମିଡିଆ କମନ୍ସ, ଉଇକିଡାଟା ଓ ଲିଙ୍ଗୁଆଲିବ୍ରେ ଆଦିରେ ସକ୍ରିୟ ଭାବରେ ଅବଦାନ କରି ଆସୁଛନ୍ତି। ୨୦୧୭ ମସିହାରୁ ସେ ଓଡ଼ିଆ ଉଇକିପିଡିଆରେ ପ୍ରତିଦିନ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖି ଆସୁଛନ୍ତି। ଉଇକିମିଡିଆରେ ସାଢ଼େ ପାଞ୍ଚ ଲକ୍ଷରୁ ଅଧିକ ସମ୍ପାଦନା ସହିତ ସଂଗ୍ରାମ ଏବେ ଓଡ଼ିଆ ଉଇକିପାଠାଗାରରେ ପରିଚାଳକ ଭାବେ କାର୍ଯ୍ୟ କରୁଛନ୍ତି। ଏହାସହ ସାନ୍ତାଳୀ ଉଇକିପିଡିଆର ପ୍ରତିନିଧିତ୍ୱ କରୁଥିବା ଦୁର୍ଗା ସୋରେନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଅନ୍ୟପଟେ ୨୦୧୧ ମସିହାରୁ ଉଇକିମିଡିଆର ବିଭିନ୍ନ ପ୍ରକଳ୍ପ ସହ ଜଡ଼ିତ ଥିବା ଓଡ଼ିଆ ଉଇକିପିଡିଆର ଅନ୍ୟତମ ସଦସ୍ୟ ସୁଭାସିସ ପାଣିଗ୍ରାହୀ ଅନ୍‌ଲାଇନ୍ ଯୋଗେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ଓପନ୍‌ସ୍ପିକ୍‌ସ୍ ଆର୍‌କାଇଭ୍‌ସ୍: ଉଇକିମିଡିଆ ପ୍ରକଳ୍ପ ପାଇଁ ଭାଷାର ଡିଜିଟାଲ୍ ସଂଗ୍ରହାଳୟ ଉପରେ ଉପସ୍ଥାପନା କରିଥିଲେ।

ଓଡ଼ିଆ ଉଇକିଆଳିମାନେ ଏହି ସମ୍ମିଳନୀରେ ଓଡ଼ିଆ ଉଇକିପିଡିଆର ବିବିଧ କାର୍ଯ୍ୟକୁ ନେଇ ଏକ ପୋଷ୍ଟର ଉପସ୍ଥାପନ କରିଥିଲେ। ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ଉଇକିପିଡିଆ ସଦସ୍ୟଙ୍କ ଅଂଶଗ୍ରହଣ ଉଇକିମିଡିଆ ସମୁଦାୟରେ ଓଡ଼ିଆ ଓ ସାନ୍ତାଳୀ ଭାଷାର ବଢ଼ୁଥିବା ଯୋଗଦାନ ଓ ଅବଦାନକୁ ଦର୍ଶାଉଛି।

Tags: #WikiMania2025 #Wikipedia #Wikians #Odisha

Comment