ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପ୍ୟାରେଡ ଅନୁଷ୍ଠିତ ହେବ। ଏହି ଅବସରରେ ଜନସାଧାରଣଙ୍କ ଗମନାଗମନ ସୁବିଧା ଏବଂ ପାର୍କିଂ ନିମନ୍ତେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ ନିୟମ ଜାରି କରାଯାଇଛି।

ଅଗଷ୍ଟ ୧୫ ତାରିଖ ସକାଳ ୬ରୁ ପ୍ୟାରେଡ ଶେଷ ହେବା ପର୍ଯ୍ୟନ୍ତ କୌଣସି ଭାରିଯାନ ରାମମନ୍ଦିର ଏବଂ ରାଜମହଲ ଛକ ପଟୁ ମାଷ୍ଟରକ୍ୟାଣ୍ଟିନ ଛକକୁ ଚଳାଚଳ କରିପାରିବ ନାହିଁ। କେବଳ ଦୁଇ ଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ଆଡ଼କୁ ଆସିପାରିବ, କିନ୍ତୁ ପିଏମଜି ଛକ ଆଡ଼କୁ ଯାଇପାରିବ ନାହିଁ।

ସେହିପରି ହାଉସିଂବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ କେଶରୀ ଟକିଜଠାରୁ ଆଗକୁ ନଯାଇ ସେହିଠାରୁ ବାମପଟ ଲେନ ଦେଇ ଯାଇପାରିବେ।

ଏଜି ଛକରୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଜୟଦେବ ଭବନ ଗଳି ରାସ୍ତା ଦେଇ ଇଡକଲ ଅଡିଟୋରିୟମ ପଟକୁ ଯିବେ। ୧୨୦ ବାଟାଲିୟନ ଛକରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ଏମଏଲଏ କଲୋନୀ ରାସ୍ତା ଦେଇ ୟୁନିଟ-୪ ନମ୍ବର ଆଡ଼କୁ ଯିବେ।

ମହାତ୍ମା ଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ ଓ ବାଇଲେନଗୁଡ଼ିକରେ ଯାନବାହନ ଚଳାଚଳ ବନ୍ଦ ରହିବ। ମହାତ୍ମା ଗାନ୍ଧୀ ମାର୍ଗକୁ କେବଳ ଚାଲିକି ଆସିହେବ।

କଟକଣା ଜାରି ହୋଇଥିବା ରାସ୍ତାଗୁଡ଼ିକରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। 

କେଉଁଠି ରଖିବେ ଗାଡ଼ି?

ରେଳଷ୍ଟେସନ ପାଖ ବିଡିଏ ବସଷ୍ଟାଣ୍ଡରେ ଗାଡ଼ି ରଖିହେବ। ସେହିପରି କଂଗ୍ରେସ ଭବନ ପାଖ ଖୋଲା ସ୍ଥାନ ଗାଡ଼ି ରଖିବା ଲାଗି ବ୍ୟବସ୍ଥା ହୋଇଛି। ଇଡକଲ୍ ଅଡିଟୋରିୟମ୍ ପାଖ ଖୋଲା ସ୍ଥାନ, ଜୟଦେବ ଭବନ ସାମ୍ନାରେ ବା ଖୋଲା ସ୍ଥାନ, ୟୁନିଟ୍-୩ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନାରେ ଥିବା ଖୋଲା ସ୍ଥାନ, ରବୀନ୍ଦ୍ର ମଣ୍ଡପ ହତା ଭିତର ଖୋଲା ସ୍ଥାନ ଓ ୟୁନିଟ୍-୨ ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆରେ ଗାଡ଼ି ପାର୍କ କରିହେବ।

ସକାଳ ୬ଟାରୁ ସ୍ଵାଧୀନତା ଦିବସ ସମାରୋହ ଶେଷ ହେବା ପର୍ଯ୍ୟନ୍ତ ପିଏମଜି ଛକରୁ ମାଷ୍ଟରକ୍ୟାଣ୍ଟିନ ଛକ ମଧ୍ୟରେ କୌଣସି ବ୍ୟକ୍ତି ଗ୍ୟାସ ବେଲୁନ୍ ବିକ୍ରି କରିପାରିବେ ନାହିଁ।

ଉପରୋକ୍ତ ନିର୍ଦ୍ଦେଶର ଉଲଂଘନ କଲେ ଆଇନ ଅନୁଯାୟୀ ସର୍ବନିମ୍ନ ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ।

Tags: #IndependenceDay #TrafficRule #Bhubaneswar

Comment