ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ ତମ ସ୍ଵାଧୀନତା ଦିବସ ଅବସରରେ ଲାଲକିଲାଠାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ପତାକା ଉତ୍ତୋଳନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସେ ଦେଶବାସୀଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଶମ ଥର ପାଇଁ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିଛନ୍ତି। ୯୦ ମିନିଟର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ୧୨ ଥର ପରିବାରବାଦ, ୧୧ ଥର ଭ୍ରଷ୍ଟାଚାର ଏବଂ ୮ ଥର ତୁଷ୍ଟିକରଣ କଥା ଦୋହରାଇଛନ୍ତି।

ଏହି ଅବସରରେ ମଣିପୁର ହିଂସା ପ୍ରସଂଗ ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ, ସମଗ୍ର ଦେଶ ମଣିପୁର ସାଥୀରେ ଅଛି। ମଣିପୁରରେ ଝିଅ ଏବଂ ମା’ ମାନଙ୍କୁ ଅସମ୍ମାନ କରାଯାଇଛି। ଖୁବଶୀଘ୍ର ମଣିପୁରକୁ ଶାନ୍ତି ଫେରିବ। ଶାନ୍ତି ଦ୍ଵାରା ହିଁ ସମାଧାନର ବାଟ ବାହାରିବ ବୋଲି ସେ କହିଛନ୍ତି।

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତ ପରିବାର ଏବଂ ମହିଳାମାନଙ୍କ ନେତୃତ୍ଵ ଯୁକ୍ତ ବିକାଶ ଉପରେ ଗୁରୁତ୍ଵ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଦେଶରେ ସୁଯୋଗର ଅଭାବ ନାହିଁ। ଆପଣ ଯେତେ ଚାହିଁବେ ଦେଶ ଦେବାକୁ ସକ୍ଷମ। ଦେଶରେ ସ୍ଵତନ୍ତ୍ର ଶକ୍ତି ଯୋଡ଼ି ହେଉଛି। ମା’ ଏବଂ ଭଉଣୀମାନେ ଦେଶକୁ ଆହୁରି ଶକ୍ତିଶାଳୀ କରୁଛନ୍ତି। କୃଷକଙ୍କ ଶକ୍ତି ଯୋଡ଼ି ହେଉଥିବାରୁ ଦେଶ କୃଷିକ୍ଷେତ୍ରରେ ଆଗକୁ ବଢ଼ୁଛି।”

“କୋଭିଡ ମହାମାରୀ ପରେ ବିଶ୍ଵର ଗତିପଥ ବଦଳିଛି। ନୂଆ ଶକ୍ତିର ଆବିର୍ଭାବ ହୋଇଛି। କୋଭିଡ ସମୟରେ ଭାରତ ବିଶ୍ଵକୁ ମାନବିକତା ଶିଖାଇଛି। କୋଭିଡ ପରେ ଭାରତ ବିଶ୍ଵ ମିତ୍ରତାର ପରିଚୟ ସୃଷ୍ଟି କରିଛି”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଗରିବୀ କମିଲେ ମଧ୍ୟ ବର୍ଗଙ୍କ ଶକ୍ତି ବଢ଼ିବ। ଆଗାମୀ ୫ ବର୍ଷରେ ଏହି ଲକ୍ଷ୍ୟ ପୂରଣ ହେବ ବୋଲି ଦୃଢ଼ତାର ସହ ପ୍ରଧାନମନ୍ତ୍ରୀ କହିଛନ୍ତି।

ସବୁ କ୍ଷେତ୍ରରେ ଦେଶର ବିକାଶ ହେଉଛି। ଯୁବବର୍ଗ ଏବଂ ମହିଳାଙ୍କୁ କର୍ମସଂସ୍ଥାନ ମିଳୁଛି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆସନ୍ତା ମାସରେ ହେବାକୁ ଥିବା ବିଶ୍ଵକର୍ମ ଜୟନ୍ତୀ ଅବସରରେ ‘ବିଶ୍ଵକର୍ମା ଯୋଜନା’ ଆରମ୍ଭ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଯୋଜନା ମାଧ୍ୟମରେ ପାରମ୍ପରିକ ଦକ୍ଷତା ଥିବା ଲୋକଙ୍କୁ ସରକାର ସହାୟତା ଯୋଗାଇ ଦେବେ। ଏଥିରେ ସୁନା କାରିଗର, କମାର, ବାରିକ, ମୋଚି ଆଦି ଭଳି ପାରମ୍ପିକ ଦକ୍ଷ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏଥିପାଇଁ ୧୩ରୁ ୧୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Tags: #IndependenceDay #Celebration #PMNarendraModi #NationalFlagHoist #Speech #Lalqila

LEAVE A REPLY

Please enter your comment!
Please enter your name here