ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇବା ସହ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ସହିଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, “ଭାରତର ସ୍ଵାଧୀନତା ବିଶ୍ଵ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଥିଲା। ଆଜି ଭାରତ ବିଶ୍ଵର ଏକ ପ୍ରମୁଖ  ଶକ୍ତି ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି। ବିଭିନ୍ନ କ୍ଷେତ୍ରରେ ଆମର ଆତ୍ମ ବିଶ୍ଵାସ ବୃଦ୍ଧି କରିଛି।”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, “ଓଡ଼ିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି। ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ ଏବଂ ଭିତ୍ତିଭୂମି ଆଦି ବିକାଶର ସବୁ କ୍ଷେତ୍ରରେ ୫-ଟି ପ୍ରିନ୍ସିପୁଲର ଆପ୍ଲିକେସନ ନୂତନ ଆଶା ସଞ୍ଚାର କରିଛି। ରାଜ୍ୟର ସବୁଲୋକ ଧନୀ, ଗରିବ ଏବଂ ମଧ୍ୟବିତ୍ତ ଏହି ରୂପାନ୍ତରରେ ସାମିଲ ହେଉଛନ୍ତି। ଓଡ଼ିଶାର ଅର୍ଥନୀତି ମଜଭୁତ ହେଉଛି। ଗରିବୀ କମିଛି। ଓଡ଼ିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି। ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି।”

ରାଜ୍ୟର ୪ ହଜାର ୩୭୩ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ଆଉଟଲେଟ ଖୋଲିବାକୁ ରାଜ୍ୟ ସରକାର ଯୋଜନା ରହିଥିବା ସେ କହିଛନ୍ତି। ଏହା ଦ୍ଵାରା ସବୁ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ନିକଟରେ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା। ଆଜିଠାରୁ ନୂଆ ହିତାଧିକାରୀମାନେ ପେନସନ ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଆହୁରି କହିଛନ୍ତି ଯେ, “ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ବିଜୁ କଲ୍ୟାଣ ଯୋଜନା ଏହି ଲକ୍ଷ୍ୟକୁ ପୂରଣ କରୁଛି।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଶାନ୍ତିଶୃଙ୍ଖଳା ଏବଂ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ ମୋଟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଜଣ ଅଧିକାରୀ।

Tags: #IndependenceDay #Celebration #CMNaveenPatnaik #NationalFlagHoist

LEAVE A REPLY

Please enter your comment!
Please enter your name here