ଓଡ଼ିଶାଲାଇଭ୍ ବ୍ୟୁରୋ
ଅନେକ ଅଚିହ୍ନା ଶବ’ର ସାଥୀ ପାଲଟିଛନ୍ତି, ସେମାନଙ୍କ ଶେଷ ଯାତ୍ରାକୁ ସମ୍ମାନ ଦେଇଛନ୍ତି। ସମାଜସେବା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ମଧୁସ୍ମିତା ପୃଷ୍ଟି।
ଅଜଣା ଲୋକଙ୍କ ଶବକୁ ଅପଣାର କରୁଥିବାରୁ ଅନେକ ନିଜର ଲୋକ ମଧୁସ୍ମିତାଙ୍କଠାରୁ ଦୂରେଇ ଯାଇଛନ୍ତି। ତଥାପି ସେ ହାର ମାନି ନାହାନ୍ତି, ନିଜ କର୍ମପଥରେ ଆଗେଇ ଚାଲିଛନ୍ତି।
କେତେବେଳେ ରେଳ ଧାରଣାରୁ ତ କେତେବେଳେ ରାସ୍ତା କଡ଼ରେ ପଡ଼ିଥିବା ମୃତଦେହକୁ ଆଣି ସେମାନଙ୍କର ଦାହ ସଂସ୍କାର କାର୍ଯ୍ୟ କରନ୍ତି ମଧୁସ୍ମିତା। ବେଳେବେଳେ ନିଜ ପିଲାମାନଙ୍କଠାରୁ ଦୂରରେ ରହୁଥିବା ବାପା ମା’ଙ୍କ ଶେଷଯାତ୍ରାର ସାଥୀ ପାଲଟନ୍ତି ସେ।
ବିଭିନ୍ନ ପ୍ରକାରର ସମାଜସେବା ମଧ୍ୟରୁ ଶବଦାହ ଭଳି କାମକୁ ବାଛିଛନ୍ତି ମଧୁସ୍ମିତା। ୨୦୧୯ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦେଢ଼ ହଜାରରୁ ଅଧିକ ଶବଦାହ କରିଛନ୍ତି। ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ ଜଣ ଅପରିଚିତ ଶବକୁ ଗୋଟିଏ ରାତିରେ ପୋଡ଼ିଥିଲେ ମଧୁସ୍ମିତା।
ଟ୍ରେନ ଟ୍ରାକ୍ ଉପରେ ପଡ଼ିଥିବା ଶବ ଆଣିବାକୁ ମଧୁସ୍ମିତାଙ୍କୁ ଭୟ ମଧ୍ୟ ଲାଗେ। କେବେ କେବେ ରାତିରେ ଶବକୁ ଆଣି ଅମ୍ବୁଲାନ୍ସ ପାଖରେ ପହଞ୍ଚାଇବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼େ। ଖଣ୍ଡ ବିଖଣ୍ଡିତ ମୃତ ଶରୀରର ସବୁ ଅଂଶ ସାଉଁଟି ଆଣିବା ସମୟରେ ତାଙ୍କ ଛାତି ବି ଥରିଉଠେ।
“କୋଭିଡ୍ ସମୟରେ ପରିସ୍ଥିତି ବହୁତ ଜଟିଳ ଥିଲା। ପ୍ରତିଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଥିଲା। ଅନେକ ପିଲା ଅନାଥ ହୋଇଗଲେ। ସେସମୟରେ ପାଞ୍ଚ ଶହ କୋଭିଡ୍ ପଜେଟିଭ୍ ଶବଦାହ କରିଛି। ଖରା ଓ ଗରମରେ ପିପିଇ କିଟ୍ ପିନ୍ଧି ଶବଦାହ କରିବା ମୋ ପାଇଁ ଚ୍ୟାଲେଞ୍ଜ ଥିଲା”, ଓଡ଼ିଶାଲାଇଭର ସାକ୍ଷାତକାରରେ କହିଛନ୍ତି ସମାଜସେବୀ ମଧୁସ୍ମିତା ପୃଷ୍ଟି। ଦେଖନ୍ତୁ ଭିଡିଓ।
Tags: #MadhusmitaPrusty #NamelessCorpse #Odisha #SilentCompanion #UntoldStories


















