ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରେ ‘ପ୍ରଜାପତି’ ଅନୁଷ୍ଠାନର ସାହିତ୍ୟ ଶାଖା ‘ଅକ୍ଷର’ ପକ୍ଷରୁ ‘କଥା ସାହିତ୍ୟ ପର୍ବ’ ଓ ‘କଥାକାର ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଔପନ୍ୟାସିକ ପଦ୍ମଜ ପାଳଙ୍କୁ ମର୍ଯ୍ୟାଦାଜନକ ‘ଅକ୍ଷର କଥାକର ସମ୍ମାନ-୨୦୨୫’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ଅର୍ଥରାଶି, ମାନପତ୍ର, ଉପଢ଼ୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା।

ସମ୍ମାନ ଗ୍ରହଣ କରିବା ଅବସରରେ ଔପନ୍ୟାସିକ ପଦ୍ମଜ ପାଳ କହିଥିଲେ ଯେ, “କଥାକାରର ଜୀବନ ଶବ୍ଦ ଓ ଭାବର ଅଳ୍ପ ପ୍ରକାଶ। ସୁନ୍ଦର ଗପଟିଏ ତାଙ୍କୁ ପ୍ରେମ ଓ ଆତ୍ମୀୟତା ପ୍ରଦାନ କରିପାରେ। ଲେଖକର ଜିଜ୍ଞାସାଭାବ ଯେତେ ଗଭୀର ହୁଏ ସୃଷ୍ଟିକାର ସେତେ ଅର୍ଥପୂର୍ଣ୍ଣ ହୋଇପାରେ।”

‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବକୁ ବିଶିଷ୍ଟ ଶିକ୍ଷାବିତ ପ୍ରାଧ୍ୟାପକ ହରିକୃଷ୍ଣ ସାହୁ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ‘ପ୍ରଜାପତି’ର ସଂଯୋଜକ ବିପ୍ଳବ ଦାସ ମହାପାତ୍ର ସ୍ଵାଗତ ଭାଷଣ ଦେବା ସହ ‘ଅକ୍ଷର କଥାକାର ସମ୍ମାନ’ ପ୍ରଦାନ ଉତ୍ସବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ରାଜେଶ ଗିରି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସମ୍ମାନିତ ଅତିଥି ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ ଔପନ୍ୟାସିକ ପଦ୍ମଜ ପାଳଙ୍କ ଲେଖକୀୟ କୃତି ସମ୍ପର୍କରେ ବିଶେଷ କଥନ ରଖିଥିଲେ।

ଏହି ଅବସରରେ ଅତିଥି କବି ଶ୍ରୀଦେବ, ଗାଳ୍ପିକ ତପନ ମହାପାତ୍ର, ଗାଳ୍ପିକ ନିବାରଣ ଜେନା, ଗାଳ୍ପିକ ସୃଷ୍ଟିଧର ପରିଡ଼ା, କବି ଉତ୍ପଳ ମହାନ୍ତି, ସୁଲଗ୍ନା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଘନଶ୍ୟାମ ବିଶ୍ଵାଳ, ଆଇନଜୀବୀ ପର୍ଶୁରାମ ପ୍ରଧାନ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ପଦ୍ମଜ ପାଳଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବାଲେଶ୍ଵରର କଥାକାରଙ୍କ ପକ୍ଷରୁ ଔପନ୍ୟାସିକ ପଦ୍ମଜ ପାଳ ଓ ତାଙ୍କ ପତ୍ନୀଙ୍କୁ ଏକ ପ୍ରଜାପତି ଉପହାର ଦିଆଯାଇଥିଲା। ‘ପ୍ରଜାପତି’ର ସଦସ୍ୟା ସରସ୍ଵତୀ ଭୋଇ, ପ୍ରତିମା ତ୍ରିପାଠୀ, ପାର୍ଥସାରଥୀ ସାହୁ ଓ ଅମରଜିତ ଦାସ ନିଜ ନିଜର ଉପହାର ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ‘ରାଗିଣୀ’ ଅନୁଷ୍ଠାନର ଶିଳ୍ପୀମାନେ ଗୁରୁ ମୋନାଲିସା ମହାନ୍ତିଙ୍କ ପରିଚାଳନାରେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ‘ନୃତ୍ୟାୟନ’ ଅନୁଷ୍ଠାନର ନୃତ୍ୟଶିଳ୍ପୀଗଣ ଗୁରୁ ପ୍ରଦୀପ ବେହେରାଙ୍କ ପରିଚାଳନାରେ ନୃତ୍ୟ ପରିବେଷଣ କରିଥିଲେ।

ନନ୍ଦିତା ନାୟକ, ସୁପ୍ରଭା ବେହେରା, ରଞ୍ଜନ ଘୋଷ, ପଣ୍ତିତ ଆଚାର୍ଯ୍ୟ, ସଞ୍ଜିବ ନାୟକ, ସୁଜାତା ଦାସ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ଶେଷରେ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Tags: #PrajapatiSahityaSanstha #AkhyaraSamman2025 #OdiaLiterature #Balasore

Comment