ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ହେଲେ ଏଥର ପୂଜା ଫିକା ପଡ଼ିବାର ସମ୍ଭାବନା ରହିଛି। କାରଣ ଅଗଷ୍ଟ ୨୭ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ପାଇଁ ସାରା ଓଡ଼ିଶାକୁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତଥାପି ପୂଜା ବଜାରରେ ଭିଡ଼ ଜମୁଛି।
ଅଗଷ୍ଟ ୨୭ ତାରିଖ, ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ବିଘ୍ନ ବିନାଶକଙ୍କ ପୂଜା। ବର୍ଷା ପାଇଁ ଚେତାବନୀ ଥିଲେ ମଧ୍ୟ ପୂଜା ପ୍ରସ୍ତୁତିରେ ଗାଁଠୁ ସହର। ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ପୂଜା ମଣ୍ଡପଗୁଡ଼ିକରେ ଗଣେଶଙ୍କ ପୂଜା ପାଇଁ ବ୍ୟାପକ ଆୟୋଜନ ଚାଲିଛି।
ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହା ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଛି। ଏହା ପ୍ରଭାବରେ ଅଗଷ୍ଟ ୩୧ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ସାରା ରାଜ୍ୟକୁ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ବେଳେ ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି।
ସେହିପରି ଅଗଷ୍ଟ ୨୭ରୁ ୨୯ ତାରିଖ ଯାଏଁ ସାରା ରାଜ୍ୟକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଅଗଷ୍ଟ ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାରୁ ଚଳିତ ଥର ପୂଜା ମାହୋଲ ଫିକା ପଡ଼ିବାର ଆଶଙ୍କା କରାଯାଉଛି।
Tags: #GaneshPuja #RainfallWarning #Odisha #Festival #Culture

















