ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଣା ହେଲା ତାରିଖ। ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ୨୦୨୬ ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ।
ଧନୁଯାତ୍ର ମହୋତ୍ସବ ସମିତି ସଭାପତି ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ବୈଠକ ବସିଥିଲା। ଆଲୋଚନାରେ ସର୍ବସମ୍ମତି କ୍ରମେ ୭୮ତମ ଧନୁଯାତ୍ରା ନିମନ୍ତେ ତାରିଖ ଚୂଡ଼ାନ୍ତ ହୋଇଥିଲା। ବୈଠକ ପରେ ଧନୁଯାତ୍ରା ତାରିଖ ଘୋଷଣା କରିଥିଲେ ଜିଲ୍ଲାପାଳ।
ଚଳିତ ବର୍ଷ ଧନୁଯାତ୍ରା ପାଇଁ ନୂଆ କରି ଚୟନ ହେବେ କଂସ ମହାରାଜା। ଏହା ସହ ପାତ୍ର, ମନ୍ତ୍ରୀ ଓ ପ୍ରମୁଖ କଳାକାରଙ୍କର ମଧ୍ୟ ଚୟନ ହେବ। ଏହି କାରଣରୁ ପ୍ରାୟ ଅଢ଼େଇ ମାସ ପୂର୍ବରୁ ଧନୁଯାତ୍ରା ତାରିଖ ଧାର୍ଯ୍ୟ କରାଯାଇଛି।
ଦୀର୍ଘ ୧୧ ଦିନ ଧରି ବରଗଡ଼ରେ ଚାଲିବ କଂସ ମହାରାଜାଙ୍କ ରାଜୁତି। ଦୁଲୁକିବ ବିଶ୍ଵର ସବୁଠାରୁ ବଡ଼ ଖୋଲା ରଙ୍ଗମଞ୍ଚ। ଚଳିତ ଥର ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ ଏବଂ ବ୍ୟାପକ କରାଯିବ ବୋଲି ସମିତି ପକ୍ଷରୁ କୁହାଯାଇଛି।
Tags: #BargarhDhanujatra #Dhanujatra2025 #DateOfDhanuJatra #Odisha #Bargarh


















