ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାର ଆତିଥ୍ୟ ସମ୍ମିଳନୀ କକ୍ଷରେ ପ୍ରଶାନ୍ତ ଦାସଙ୍କ କବିତା ପୁସ୍ତକ ‘ପ୍ରଚ୍ଛଦ କବିତା’ର ‘ପ୍ରଚ୍ଛଦ କବିତା ପର୍ବ’ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାର ୨୬ ଜଣ ଲେଖକଙ୍କ ପ୍ରକାଶିତ ପୁସ୍ତକ ଓ ପ୍ରଚ୍ଛଦକୁ ନେଇ ଲିଖିତ କବିତା ସଙ୍କଳନ ‘ପ୍ରଚ୍ଛଦ କବିତା’ର ‘ପ୍ରଚ୍ଛଦ କବିତା ପର୍ବ’କୁ ବୈଜ୍ଞାନିକ ପିଏକ୍ସଇର ଆସୋସିଏଟ୍ ଡାଇରେକ୍ଟର ଡକ୍ଟର ହିମାଂଶୁ ପଣ୍ଡା ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଲେ ଯେ, କବିମାନେ ମାନବ ସମାଜ ପାଇଁ ବୌଦ୍ଧିକ ବିଚାର ସାଇତି ରଖିଥାନ୍ତି। ‘ପ୍ରଚ୍ଛଦ କବିତା’ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଏକ ନୂଆ ବାର୍ତ୍ତା ପ୍ରଦାନ କରିଛି।

ଅନ୍ୟତମ ଅତିଥି ଭାବେ ସନ୍ତୋଷ ଦାସ ଯୋଗ ଦେଇଥିଲେ। କବି ତଥା କଥାକାର ଗଙ୍ଗାଧର ବିଶ୍ଵାଳ ଏହି ଅବସରରେ ଯୋଗ ଦେଇ କହିଥିଲେ, ପ୍ରଶାନ୍ତ ଦାସଙ୍କ ‘ପ୍ରଚ୍ଛଦ କବିତା’ କବିଙ୍କ କଳ୍ପନା ଓ ଭାବନାର ଏକ ସୁନ୍ଦର ପରିପ୍ରକାଶ।

କବି ପ୍ରଶାନ୍ତ ଦାସ କହିଥିଲେ, “ଲେଖକମାନଙ୍କର ପ୍ରକାଶିତ ପୁସ୍ତକ ଓ ପ୍ରଚ୍ଛଦ ମୋ ହୃଦୟକୁ ଛୁଇଁବାରୁ ମୁଁ ‘ପ୍ରଚ୍ଛଦ କବିତା’ ପୁସ୍ତକ ରଚନା କଲି ଓ ପ୍ରକାଶ କଲି।”

ଏହି ଅବସରରେ କବି ଦାସଙ୍କ ପ୍ରଥମ କବିତା ପୁସ୍ତକ ‘ଜରି ଗୋଟାଇବା ଝିଅ’ ଓ ଗଳ୍ପ ପୁସ୍ତକ ‘ନୀଳ ମଣିଷ’ର ପ୍ରଚ୍ଛଦ ଶିଳ୍ପୀ କେଶୁ ଦାସଙ୍କୁ ‘ପ୍ରଚ୍ଛଦ କବିତା ସମ୍ମାନ’ ପ୍ରଦାନ କରାଯାଇଥିଲା।

‘ପ୍ରଚ୍ଛଦ କବିତା’ ପୁସ୍ତକରେ ସ୍ଥାନୀତ କବିତାଗୁଡ଼ିକ ଦୀପ୍ତି ଦାସ, ଗଙ୍ଗାଧର ବିଶ୍ଵାଳ, କୃଷ୍ଣ କୁମାର ମହାନ୍ତି, ଶ୍ରୀଦେବ, ଡକ୍ଟର ରାଧାରଂଜନ ପଟ୍ଟନାୟକ, ଉଦୟ ନାରାୟଣ ଦାସ, ସୈରିନ୍ଧ୍ରୀ ସାହୁ, ନିବାରଣ ଜେନା, ସିତାଂଶୁ ଲେଙ୍କା, ଅଭୟ ଦାସ, ରଞ୍ଜନ ବାଗ, ଡକ୍ଟର ଦେବାଶିଷ ପାତ୍ର, ଉତ୍ପଳ ମହାନ୍ତି, ଜ୍ୟୋତ୍ସ୍ନା ବିଶ୍ଵାଳ, ସତ୍ୟ ସାହୁ, ଶୁଭେନ୍ଦୁ ଦାସ, କ୍ଷୀରୋଦ ବିହାରୀ ବିଶ୍ଵାଳ, ଡକ୍ଟର ସନ୍ତୋଷ ନାୟକ, ସଞ୍ଜୟ ପଣ୍ଡା, ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ ଓ ପ୍ରଶାନ୍ତ ଦାସଙ୍କ ପ୍ରକାଶିତ ପୁସ୍ତକ ଓ ପ୍ରଚ୍ଛଦ ଉପରେ କବି ପ୍ରଶାନ୍ତ ଦାସଙ୍କ ଦ୍ୱାରା ଲେଖା ହୋଇଛି।

ପ୍ରାରମ୍ଭରେ ଆବାହକ ବିପ୍ଳବ ଦାସ ମହାପାତ୍ର ଓ ରାଜେଶ ଗିରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ କବି ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସାହିତ୍ୟପ୍ରେମୀ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ।

Tags: #PrachhadKabita #Balasore #Poetry #PrachhadaKabitaParba

Comment