ଓଡ଼ିଶାଲାଇଭ୍ ବ୍ୟୁରୋ

(ଭଞ୍ଜବିହାର): “ପାରମ୍ପରିକ ଓ ପ୍ରଯୁକ୍ତିର ସମନ୍ୱୟ ରକ୍ଷା କରିବା ସହ ଗବେଷଣା ସ୍ଥାନୀୟ ବିଶେଷତ୍ୱକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲାଗି ଆଭିମୁଖ୍ୟ ହେବା ଉଚିତ। ଏହା ସହ ସ୍ଥାନୀୟ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ସହଯୋଗତ ଓ ସମନ୍ୱର ଆବଶ୍ୟକତା ରହିଛି”, ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫ର ଦ୍ୱିତୀୟ ଦିନରେ ପାରମ୍ପରିକ ଓ ପ୍ରଯୁକ୍ତିର ସମନ୍ୱୟ ସଂପର୍କିତ ବିଷୟକୁ ନେଇ ଆୟୋଜିତ କୁଳପତିଙ୍କ ବୈଠକରେ ଏହି ମତ ପ୍ରକାଶ ପାଇଛି।
ସମ୍ମିଳନୀର ଦ୍ୱିତୀୟ ଦିନର ପ୍ରଥମାର୍ଦ୍ଧାରେ ସାମାଜିକ ବିଜ୍ଞାନ ସଂପର୍କିତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଫକୀର ମୋହନ ବିଶ୍ୱବଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମା’ ମଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନିବେଦିତା ନାଥ, ମଧୁସୂଦନ ଆଇନ ବିଶ୍ୱବଦ୍ୟାଳୟର କୁଳପତି ପ୍ରଫେସର କମଲଜିତ ସିଂହ ପ୍ରମୁଖ ଯୋଗ ଦେଇଥିଲେ।
ଏଥିରେ କୃତ୍ରିମ ବୁଦ୍ଧିମତ୍ତା (AI) ଜ୍ଞାନକୌଶଳର ପ୍ରୟୋଗ କର ନୂତନ ଗବେଷଣା କରିବା ସହ ଗବେଷଣା ଲୋକାଭିମୁଖୀ ହେବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଛି।
କୁଳପତିଙ୍କ ବୈଠକ ସହ ଗବେଷଣାକୁ ଶିଳ୍ପାଭିମୂଖୀ କରିବା ପାଇଁ ଶିକ୍ଷାବିତ ଏବଂ ଶିଳ୍ପ ସଂସ୍ଥାର ବିଶେଷଜ୍ଞଙ୍କ ଏକ ମିଳିତ ବୈଠକ ଆୟୋଜତ ହୋଇଥିଲା। ଶିଳ୍ପ-ଶିକ୍ଷା ସହଯୋଗରେ ଗବେଷଣାର ଅଗ୍ରଗତି ସଂପର୍କିତ ବିଷୟକୁ ନେଇ ଆୟୋଜିତ ଏହି ବୈଠକରେ ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରବନ୍ଧନ ସଂସ୍ଥାନର ପ୍ରାଧ୍ୟାପକ ପ୍ରଫେସର ସୁପ୍ରିତି ମିଶ୍ର, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ଡିନ ଡକ୍ଟର ଅର୍ଚ୍ଚନା ଚୌଧୁରୀ, ଆଦାନୀ ଫାଉଣ୍ଡେସନ ପରିଚାଳିତ ଗୋପାଳପୁର ବନ୍ଦରର କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ମୁଖ୍ୟ ଦେବଦତ୍ତ ମିଶ୍ର, ଏସବିଆଇ ଆଞ୍ଚଳିକ ପ୍ରବନ୍ଧକ ହରିକୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ଶିଳ୍ପ ସଂସ୍ଥାର ବିଶେଷଜ୍ଞ ଓ ଶିକ୍ଷାବିତଙ୍କ ମିଳିତ ସହଯୋଗରେ ଗବେଷଣା ହେବା ଉଚିତ ଏବଂ ଏହି ଆଭିମୁଖ୍ୟ ସମୃଦ୍ଧ ଓଡ଼ିଶା ଗଠନ ସହ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଦ୍ୱିତୀୟ ଦିନର ତୃତୀୟ ଆଲୋଚନା ବୈଠକ ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନକୁ ନେଇ ଆୟୋଜିତ ହୋଇଥିଲା। ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରହୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଧ୍ୟାପିକା ପ୍ରଫେସର ସ୍ଵର୍ଣ୍ଣମୟୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।
ବୈଠକରେ ପେସାଗତ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କ କୌଶଳ ବିକାଶ ଦିଗରେ ଜାତୀୟ ଶିକ୍ଷାନୀତି ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ମାନିସକ ସହ ଭୌତିକ ବିକାଶ ଦିଗରେ ପାଠ୍ୟକ୍ରମରେ ବ୍ୟବସ୍ଥା କରିବାକୁ ବୈଠକରେ ମତ ପ୍ରକାଶ ପାଇଛି।
ବୈଠକରେ ଯୋଗ ଦେଇଥିବା ସମସ୍ତ କୁଳପତି, ଶିକ୍ଷାବିତ, ଶିଳ୍ପସଂସ୍ଥାର ବିଶେଷଜ୍ଞଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଉପଢ଼ୌକନ ଓ ସ୍ମାରକୀ ଦେଇ ସମ୍ମାନୀତ କରିଥିଲେ। ସମୃଦ୍ଧ ଓଡ଼ିଶା ଗଠନରେ ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫ ଏକ ଦିଗାନ୍ତକାରୀ ପଦକ୍ଷେପ ବୋଲି କୁଳପତି କହିଛନ୍ତି।
ଦ୍ୱିତୀୟ ଦିନରେ ପ୍ରବନ୍ଧନ ଓ ସାମାଜିକ ବିଜ୍ଞାନ ବିଷୟ ସହ ସଂପର୍କିତ ବିଭିନ୍ନ ଗବେଷଣାତ୍ମକ ସନ୍ଦର୍ଭକୁ ପ୍ରଦର୍ଶିତ କରାଯାଇଥିଲା। ବିଶେଷଜ୍ଞମାନେ ସନ୍ଦର୍ଭକୁ ତର୍ଜମା କରିଥିଲେ। ସମ୍ମିଳନୀର ଶେଷଦିନରେ ପ୍ରତି ବିଷୟରେ ଶ୍ରେଷ୍ଠ ସନ୍ଦର୍ଭକୁ ପୁରସ୍କୃତ କରାଯିବ।
ଓଡ଼ିଶା ଗବେଷଣା ସମ୍ମିଳନୀର ଶେଷଦିନ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକମାନଙ୍କୁ ନେଇ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏହାସହ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଶ୍ରେଷ୍ଠ ଗବେଷକମାନଙ୍କୁ ପୁରସ୍କୃତ କରାଯିବ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପରାମର୍ଶଦାତା ପଦ୍ମଶ୍ରୀ ଏପି ଦାଶ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Tags: #OdishaResearchConclave2025 #ViksitOdisha #BerhampurUniversity #Odisha


















