ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁରରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶୁକ୍ରବାର ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ସେ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଓ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରିଥିଲେ।

ଶୁକ୍ରବାର ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରରୁ ବ୍ରହ୍ମପୁର ଆଭିମୁଖେ ବାହାରିଥିଲେ। ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଅବତରଣ କରିବା ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ରହ୍ମପୁର ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

“ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି। ଆଜି ଏହାର ସମାବର୍ତ୍ତନ ଉତ୍ସବ କେବଳ ଏକ ପ୍ରମାଣପତ୍ର ଦେବାର ଉତ୍ସବ ନୁହେଁ। ଏହା ସାଧନାର ପର୍ବ, ସ୍ୱପ୍ନ ପୂରଣ କରିବାର ମୁହୂର୍ତ୍ତ। ଜ୍ଞାନର ଅନ୍ତ ନାହିଁ, ଛାତ୍ରଛାତ୍ରୀମାନେ ଅନ୍ୟମାନଙ୍କ ମଙ୍ଗଳ ପାଇଁ ନିଜ ଜ୍ଞାନର ଉପଯୋଗ କରିପାରିଲେ ତାହା ସାର୍ଥକ ହେବ”, କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି ଅବସରରେ ରାଷ୍ଟ୍ରପତି ମହିଳା ସଶକ୍ତିକରଣ ଉପରେ ଗରୁତ୍ଵ ଦେଇଥିଲେ। ସେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନାରୀମାନଙ୍କୁ ଆଗେଇ ଆସିବା ପାଇଁ ଆହ୍ଵାନ କରିଥିଲେ।  

କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜାଳି ଦାଶ ପ୍ରମୁଖ ଯୋଗ ଦେଇଥିଲେ।

ସମାବର୍ତ୍ତନ ଉତ୍ସବର କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ଏବେ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି। ଭୁବନେଶ୍ୱରରୁ ସେ କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଗସ୍ତ କରିବେ। ସେଠାରେ ସେ ବ୍ରହ୍ମକୁମାରୀଙ୍କ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ।

Tags: #PresidentDroupadiMurmu #OdishaVisit #BerhampurUniversity #Odisha

LEAVE A REPLY

Please enter your comment!
Please enter your name here