ଓଡ଼ିଶାଲାଇଭ୍ ବ୍ୟୁରୋ

(ଭଞ୍ଜବିହାର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫ ଶନିବାର ଦିନ ଶେଷ ହୋଇଛି। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସଭାପତିତ୍ଵରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ।

ମୁଖ୍ୟ ଅତିଥି କହିଥିଲେ, “୨୦୪୭ ସୁଦ୍ଧା ବିକଶିତ ଭାରତ ସଂକଳ୍ପକୁ ଏହିଭଳି ଗବେଷଣା ସମ୍ମିଳନୀ ମାର୍ଗଦର୍ଶନ ଦେଇପାରିବ। ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ପରିବେଶ, ଖାଦ୍ୟ ଓ ଜୀବନଜୀବିକା ଭଳି ମୌଳିକ ସଂକଟକୁ ସମାଧାନ କରିବା ଦିଗରେ ଅଧିକ ଗବେଷଣା ହେବା ଦରକାର।”

ସେ ଆହୁରି କହିଥିଲେ, ଭାରତକୁ ବିଶ୍ୱଗୁରୁ ଭାବେ ପରିଚିତ କରାଇବାରେ ଗବେଷଣାର ମୁଖ୍ୟ ଭୂମିକା ଗ୍ରହଣ କରି ଆବଶ୍ୟକ। ଯୁବ ଗବେଷକମାନେ ଏହାର ନେତୃତ୍ଵ ନେବା ଲାଗି ଆଗେଇ ଆସିବାକୁ ଆହ୍ୱାନ କରିଥିଲେ ପ୍ରଦୀପ କୁମାର ପାଣିଗ୍ରାହୀ।

ଉଦଯାପନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ଶିକ୍ଷାବିତ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ ଯୋଗଦେଇ କହିଥିଲେ, ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ଦିଗର ଗବେଷଣା ଓ ନୂତନ ଜ୍ଞାନକୌଶଳର ଆବଶ୍ୟକତା ରହିଛି। ଏଥିପାଇଁ ନୀତଗତ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଅନ୍ୟତମ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସମିତ ପ୍ରସାଦ ପାଣି, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳସଚିବ ସଚ୍ଚିଦାନନ୍ଦ ନାୟକଙ୍କ ସହ ସମ୍ମିଳନୀର ନୋଡାଲ ଅଧିକାରୀ ଭାବେ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ ବିଷୟରେ ଶ୍ରେଷ୍ଠ ଗବେଷଣାତ୍ମକ ସନ୍ଦର୍ଭ ପ୍ରଦର୍ଶନ କରିଥିବା ଯୁବ ଗବେଷକ ତଥା ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମାନପତ୍ର ଦେଇ ମଞ୍ଚରେ ପୁରସ୍କୃତ କରାଯାଇଥିଲା।

ଓଡ଼ିଶା ଗବେଷଣା ସମ୍ମିଳନୀର ଶେଷ ଦିନରେ ରାଜ୍ୟ ତଥା ଜାତୀୟସ୍ତରର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ନର୍ଦ୍ଦେଶକମାନଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ସହଯୋଗ, ସଂସ୍କୃତି ଓ ସୃଜନଶୀଳତା ମାଧ୍ୟମରେ ଗବେଷଣାରେ ଉତ୍କର୍ଷତା ଶିର୍ଷକକୁ ନେଇ ଆୟୋଜିତ ଏହି ବୈଠକରେ ଆଇଆଇଟି ଭୁବନେଶ୍ୱର, ନାଇଜର, ଆଇଜର, ଆଇଓପି, ଆଇଏମଏମଟି, ଆଇଏମଏ ଆଦି ବୈଷୟିକ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ।

ସହଯୋଗ ଓ ସହଭାଗିତା ମାଧ୍ୟମରେ କିପରି ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗବେଷଣାର ମାନ ବୃଦ୍ଧି କରାଯାଇପାରିବ ସନେଇ ଆଲୋଚନା ହୋଇଥିଲା। ଏହାସହ ବିଶିଷ୍ଟ ଶିକ୍ଷାବିତ ତଥା ଆଇଜର କୋଲକତାର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଆଇଆଇଟି ଦିଲ୍ଲୀର ଅବସରପ୍ରାପ୍ତ ପ୍ରଧ୍ୟାପକ ପ୍ରଫେସର ୟୁସି ମହାନ୍ତିଙ୍କୁ ନେଇ ଗବେଷଣା ଓ ଉନ୍ନୟନରେ ଆଧୁନିକ ପଦ୍ଧତି ସଂପର୍କିତ ବିଷୟରେ ଆଲୋଚନା କରାଯାଇଥିଲା।

ତିନିଦିନ ଧରି ଚାଲିଥିବା ଓଡ଼ିଶା ଗବେଷଣା ସମ୍ମିଳନୀର ପଞ୍ଚମ ସଂସ୍କରଣରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୬୫୭ ଜଣ ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ ଯୋଗ ଦେଇଥିଲେ। ସମ୍ମିଳନୀର ନିଷ୍କର୍ଷ ରିପୋର୍ଟ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରାଯିବ ବୋଲି କୁଳପତି ଗୀତାଞ୍ଜଳି ଦାସ କହିଛନ୍ତି।  

Tags: #OdishaResearchConclave2025 #BerhampurUniversity #ViksitOdisha #Odisha

Comment