ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ସୁବର୍ଣ୍ଣରେଖାର ଦୁର୍ବଳ ନଦୀ ବନ୍ଧ ପାଇଁ ବିପଦରେ ବାଲେଶ୍ଵର ଜିଲ୍ଲା ବାଲିଆପାଳର ବହୁ ପଞ୍ଚାୟତ। ତୁରନ୍ତ ଦୁର୍ବଳ ନଦୀ ବନ୍ଧରେ ପଥର ପ୍ୟାଚିଂ ଏବଂ ଏହାର ସୁଦୃଢ଼ୀକରଣ ଲାଗି ବିଧାନସଭାରେ ଦାବି ଉପସ୍ଥାପନା କରିଛନ୍ତି ବସ୍ତା ବିଧାୟିକା ସୁବାସିନୀ ଜେନା।

ସୁବର୍ଣ୍ଣରେଖା ନଦୀ କୂଳବର୍ତ୍ତୀ ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତର ବଢ଼ାପାଳ ଦତ୍ତସାହି, ବଡ଼ଖାନପୁର, ବିଷ୍ଣୁପୁର ପଞ୍ଚାୟତର ଇକଡ଼ପାଳ, ରସଲପୁର, ବିଷ୍ଣୁପୁର, ଚଉମୁଖ ପଞ୍ଚାୟତର କଙ୍କଡ଼ାପାଳ, ନିଖିରା ପଞ୍ଚାୟତର ପାଳବେଗୁନିଆ, ଚଡ଼ପାଳପଡ଼ା ଓ କୁମ୍ଭାରି ପଞ୍ଚାୟତର ନୂଆସାହି, ଝଲଝଲିଆ ଆଦି ଗ୍ରାମରେ ଥିବା ଦୁର୍ବଳ ନଦୀ ବନ୍ଧର ପଥର ପ୍ୟାଚିଂ ଏବଂ ସୁଦୃଢ଼ୀକରଣ ପାଇଁ ସରକାରଙ୍କ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଉଛି ଓ ଏଥିପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯାଇଛି ତାହା ଜଣାଇବା ପାଇଁ ପ୍ରଶ୍ନ କରିଥିଲେ ସୁବାସିନୀ ଜେନା।

ଜଳସମ୍ପଦ ବିଭାଗ ପକ୍ଷରୁ ଉତ୍ତର ରଖିଥିଲେ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଥିଲେ ରାଜ୍ୟ ସରକାରଙ୍କ ତରଫରୁ ନଦୀବନ୍ଧ ସୁଦୃଢ଼ୀକରଣ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଚାରି ପ୍ରକାର କାର୍ଯ୍ୟକ୍ରମ କରାଯାଉଛି। ସେଗୁଡ଼ିକ ହେଲା ନଦୀର ପାଣିକୁ ଅଟକାଇବା ପାଇଁ ନଦୀବନ୍ଧ, ଅନ୍ୟ ଚାଷ ଉପଯୋଗୀ ବନ୍ଧ, ବାଲି ଚରରୁ ଅଟକାଇବା ପାଇଁ ହେଉଥିବା ଅସ୍ଥାୟୀ ବନ୍ଧ ଏବଂ ଲୁଣା ବନ୍ଧ। ବାଲେଶ୍ଵର ଜିଲ୍ଲାରେ ବନ୍ୟା ପରିଚାଳନା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପାଖାପାଖି ୨୦ଟି ପ୍ରୋଜେକ୍ଟର କାମ ଚାଲୁ ରହିଛି। ବିଧାୟିକା ଉଠାଇଥିବା ଦାବି ବାବଦରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Tags: #Baliapal #Subarnarekha #Balasore #OdishaAssembly

Comment