ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଥାନା ଅନ୍ତର୍ଗତ ରାଖେଲଗୁଡ଼ା ଗ୍ରାମର ଜଣେ ଆଦିବାସୀ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହକୁ ନେଇ ରାଖେଲଗୁଡ଼ା ଏବଂ ଏମଭି-୨୬ ଗାଁ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି। ଏହାରି ମଧ୍ୟରେ ଗୁରୁବାର ଦିନ ମାଲକାନଗିରିରେ ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ।

ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରଶାସନ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପରେ ଆଦିବାସୀ ସଂଘର କର୍ମକର୍ତ୍ତ ଓ ଏମଭି-୨୬ ଗାଁର ସଦସ୍ୟଙ୍କ ସହ ଶାନ୍ତି ବଜାୟ ରଖିବା ଲାଗି ଆଲୋଚନା କରିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଏହି ଅବସରରେ ଦୁଇ ଗୋଷ୍ଠୀ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ମୃତ ଲାକେ ପଡ଼ିଆମୀଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ, ଜବତ ହୋଇଥିବା ତାଙ୍କର ସମସ୍ତ ଜମି ଫେରସ୍ତ କରିବାକୁ ଦାବି କରାଯାଇଛି। କୌଣସି ଆଦିବାସୀ କିମ୍ବା ସଂଘର ସଦସ୍ୟଙ୍କୁ ଗିରଫ ନକରିବା ଲାଗି ଆଦିବାସୀ ସଂଘ ପକ୍ଷରୁ ଦାବି କରାଯାଇଛି। ଏପଟେ ଏମଭି-୨୬ ଗାଁରେ ନିଆଁ ଲଗାଇବା ଘଟଣାରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠା ସହ କ୍ଷତିପୂଣ ପ୍ରଦାନ ପାଇଁ ଦାବି ହୋଇଛି।

ଦୁଇଗୋଷ୍ଠୀଙ୍କ ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ। ବୈଠକରେ ଜିଲ୍ଲାପାଳ, ଏସପି, ଏଡିଜି, ଡିଆଇଜିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କ’ଣ ରହିଛି ପୂରା ଘଟଣା?

କେହି ଦୁର୍ବୃତ୍ତ ରାଖେଲଗୁଡ଼ା ଗ୍ରାମର ଲାକେ ପଡ଼ିଆମୀଙ୍କୁ ଅତିନିର୍ମମ ଭାବେ ହତ୍ୟା କରିଥିଲେ। ଏପରିକି ଶରୀରରୁ ତାଙ୍କ ମୁଣ୍ଡକୁ ଅଲଗା କରି ଫିଙ୍ଗି ଦେଇଥିଲେ। 

ଡିସେମ୍ବର ୪ ତାରିଖରେ ପୋଟେରୁ ନଦୀରୁ ଲାକେଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ ରାଖେଲଗୁଡ଼ା ଏବଂ ଏମଭି-୨୬ ଗ୍ରାମ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ କୋରକୁଣ୍ଡା ଥାନା ଘେରାଉ କରିଥିଲେ ଶହ ଶହ ଆଦିବାସୀ।

ପୋଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବାରୁ ଡିସେମ୍ବର ୭ ତାରିଖରେ ଏମଭି-୨୬ ଗାଁରେ ନିଆଁ ଲଗାଇ ଦେଇଥିଲେ ଆଦିବାସୀ। ଭୟରେ ଗାଁ ଛାଡ଼ି ଚାଲିଯାଇଥିଲେ ଏମଭି-୨୬ ଗାଁର ଲୋକେ।

ଏମଭି-୨୬ ଗାଁରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା। ପୋଲିସ ଛାଉଣୀରେ ସାରା ମାଲକାନଗିରି ରହିଥିବା ବେଳେ ସାପ୍ତାହିକ ହାଟକୁ ବନ୍ଦ ରଖାଯାଇଛି। ସ୍ଥିତି ଉପରେ ଗୁଇନ୍ଦା ବିଭାଗ ଓ ପୋଲିସ ପକ୍ଷରୁ ତୀକ୍ଷ୍ନ ନଜର ରଖାଯାଇଛି। ଗ୍ରାମର କ୍ଷୟକ୍ଷତିର ଆକଳନ ପାଇଁ ୭ଟି ଟିମ୍ ଗଠନ କରାଯାଇଛି।

ଡିସେମ୍ବର ୯ ତାରିଖରେ ଆଦିବାସୀ ମହାସଂଘ ଏବଂ ବଙ୍ଗାଳି ସମାଜ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶାନ୍ତି କମିଟି ବୈଠକ ବସିଥିଲା। ପୂର୍ବଭଳି ଉଭୟ ଗ୍ରାମର ଲୋକ ମିଳିମିଶି ରହିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନ ଏମଭି-୨୬ ଗାଁରେ ସ୍ଥିତି ନିୟନ୍ତ୍ରଣରେ ରହିଥିବା ବେଳେ ଗାଁ ଛାଡ଼ି ପଳାଇଥିବା ଲୋକେ ଧୀରେ ଧୀରେ ଫେରୁଛନ୍ତି।

ଡିସେମ୍ବର ୪ ତାରିଖରେ ଲାକେଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଥିବା ବେଳେ ଡିସେମ୍ବର ୧୦ ତାରିଖରେ ତାଙ୍କ କଟା ମୁଣ୍ଡକୁ ଠାବ କରାଯାଇଥିଲା। ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନଠାରୁ ୪୦ କିଲୋମିଟର ଦୂରରୁ କଟାମୁଣ୍ଡ ମିଳିଥିଲା।

କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରେ ଗୋଟିଏ କଟାମୁଣ୍ଡ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ କଟାମୁଣ୍ଡ ଜବତ କରି ତଦନ୍ତ ପାଇଁ ପଠାଇଥିଲା।

Tags: #Malkangiri #KVSinghDeo #Murder #CommunityClash #Odisha

Comment