ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ସାଧାରଣ ଜୀବନଜାପନ। ସକାଳ ୮ଟାରେ ମଧ୍ୟ ଘରୁ ବାହାରି ମୁସକିଲ ହୋଇପଡ଼ୁଛି। ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ ସେମିଳିଗୁଡ଼ା ରାଜ୍ୟର ସବୁଠାରୁ ଶୀତୁଆ ଅଞ୍ଚଳ ପାଲଟିଛି।

ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ସେମିଳିଗୁଡ଼ା ପଛରେ ରହିଛି ଜିଉଦୟଗିରି। ଏଠାରେ ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀର ତାପମାତ୍ରା ୫.୨ ଡିଗ୍ରୀ, ଚିପିଲିମାରେ ୬.୧ ଡିଗ୍ରି, ରାଉରକେଲାରେ ୬.୬ ଡିଗ୍ରୀ ଓ ଝାରସୁଗୁଡ଼ାରେ ୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଦାରିଙ୍ଗବାଡିର ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଅନୁଗୁଳ, ଭବାନୀପାଟଣାର ତାପମାତ୍ରା ୮ ଡିଗ୍ରୀ ରହିଛି। ନବରଙ୍ଗପୁରର ତାପମାତ୍ରା ୮.୬ ପ୍ରତିଶତ ରହିଥିବାବେଳେ କୋରାପୁଟର ୯.୩ ଡିଗ୍ରୀ, କେନ୍ଦୁଝର ଓ ସୁନ୍ଦରଗଡ଼ର ୯.୬ ଡିଗ୍ରୀ ରହିଛି। ଅନ୍ୟ ସମସ୍ତ ଅଞ୍ଚଳର ତାପମାତ୍ରା ୧୪ ଡିଗ୍ରୀ ତଳେ ରେକର୍ଡ କରାଯାଇଛି।

ତେବେ ରାଜଧାନୀ ଭୁବନେଶ୍ଵର ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଗକୁ ତାପମାତ୍ରା ଆହୁରି କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଘନ କୁହୁଡ଼ି ଏବଂ ଶୀତ ଲହରୀ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ

ଏପଟେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ଏବଂ ଶୀତ ଲହରୀ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରପଡ଼ା, ଜଗତସିଂହପୁର, କନ୍ଧାମାଳ ଏବଂ କଳାହାଣ୍ଡି ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ସେହିପରି ଡିସେମ୍ବର ୧୨ରୁ ୧୩ ତାରିଖ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ଅନୁଗୁଳକୁ ଶୀତ ଲହରୀ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ସେହିପରି ଡିସେମ୍ବର ୧୧ରୁ ୧୩ ତାରିଖ ମଧ୍ୟରେ ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଯାତାୟତ ବେଳେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #Weather #Winter #MCBBSR #IMD #Odisha

Comment