ଓଡ଼ିଶାଲାଇଭ୍ ବ୍ୟୁରୋ

ରାସନକାର୍ଡକୁ ନେଇ ଆସିଲା ବଡ଼ ଖବର। ୨୦୨୬ ନୂଆବର୍ଷରୁ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। କୌଣସି ଜଣେ ଯୋଗ୍ୟ ହିତାଧିକାରୀ ଯେପରି କାର୍ଡ ପାଇବାରୁ ବଞ୍ଚିତ ନରହିବେ ସେଥିପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁସାରେ, ଇ-କେୱାଇସି ପ୍ରକ୍ରିୟା ବେଳେ ରାଜ୍ୟର ପ୍ରାୟ ୮ ଲକ୍ଷ ୧୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡରୁ ବାଦ ଦିଆଯାଇଥିବା ବେଳେ ୬ ଲକ୍ଷ ୩୯ହଜାର ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଦିଆଯାଇଛି।
ଇତିମଧ୍ୟରେ ଆହୁରି ୧୫ ଲକ୍ଷ ୩୩ ହଜାର ରାସନକାର୍ଡ ଲାଗି ଆବେଦନ ହୋଇଛି। ୧୫ ଲକ୍ଷ କାର୍ଡକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଆସନ୍ତା ୨୦୨୬ ବର୍ଷରେ ହିତାଧିକାରୀଙ୍କୁ ଏହି ରାସନକାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଓଡ଼ିଶାରେ ନୂଆ ସରକାର ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପାଇଁ ଇ-କେୱାଇସି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ରାସନ କାର୍ଡର ଲାଭ ଉଠାଉଥିବା ସରକାରୀ କର୍ମଚାରୀ ଏବଂ କରଦାତାଙ୍କୁ କାର୍ଡ ଫେରାଇବାକୁ ତାଗିଦ କରାଯାଇଥିଲା। ଏହି ପ୍ରକ୍ରିୟାରେ ୮ ଲକ୍ଷ ୧୬ ହଜାର ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିଲେ।
ତେବେ ୧୫ ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନଥିବାରୁ ଏହି ପ୍ରକ୍ରିୟାକୁ ଡିସେମ୍ବର ୩୧ ତାରିଖ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର।
Tags: #RationCard #NewRationCard #EKYC #OdishaGovt












