ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାସ୍ତରୀୟ ସ୍ୱଦେଶୀ ମେଳା ଓ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ‘କୋଶମ୍ୱ-୨୦୨୫’ ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ବାଲେଶ୍ଵର ପୋଲିସ ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ଏହି ମେଳା ୨୮ ତାରିଖ ଯାଏଁ ଚାଲିବ।

ଏହି ଅବସରରେ ପ୍ରଥମ ଥର ପାଇଁ ମେଳା ପରିସରରେ ‘ବୁକ୍ କ୍ୟାଫେ / ବୁକ୍ ଏକଜିବିସନ’ ଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ‘ବୁକ୍ କ୍ୟାଫେ’ରେ ପାଠକମାନେ ବିଭିନ୍ନ ପ୍ରକାରର ପୁସ୍ତକ କ୍ରୟ କରିବା ସହ ବହି ଓ ପତ୍ରପତ୍ରିକା ପାଠ କରିପାରିବେ। ପାଠକ ଓ ସାହିତ୍ୟ ପ୍ରେମୀଙ୍କୁ ପୁସ୍ତକ ସହିତ ଯୋଡ଼ିବା ଏବଂ ପଠନ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ହେଉଛି ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ।

ଏହା ସହିତ ମେଳା ପରିସରରେ ‘ଡୋନେଟ୍ ବୁକ୍ସ’ ନାମରେ ଏକ ନିର୍ଦ୍ଦିଷ୍ଟ କାଉଣ୍ଟର ଖୋଲାଯିବାର ବ୍ୟବସ୍ଥା କରାଯିବ। ଏହି କାଉଣ୍ଟର ମାଧ୍ୟମରେ ବାଲେଶ୍ଵର ଜିଲ୍ଲାବାସୀ ସ୍ୱଇଚ୍ଛାରେ ପୁସ୍ତକ ଦାନ କରିପାରିବେ। ଦାନ କରାଯାଇଥିବା ପୁସ୍ତକଗୁଡ଼ିକୁ ସରକାରୀ ପାଠାଗାର କିମ୍ବା ବିଦ୍ୟାଳୟରେ ରଖାଯିବ।

ବାଲେଶ୍ଵରର ସମସ୍ତ ସାହିତ୍ୟପ୍ରେମୀ, ପାଠକ, ଛାତ୍ରଛାତ୍ରୀ ଓ ସଚେତନ ନାଗରିକଙ୍କୁ ଏହି ନୂଆ ପଦକ୍ଷେପରେ ସାମିଲ ହେବା ଓ ପୁସ୍ତକ ଦାନ କରି ପଠନ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ଵାନ କରାଯାଇଛି।

Tags: #PallishreeMela2025 #SwadeshiMela #Balasore #KoshambaMela

Comment