ଓଡ଼ିଶାଲାଇଭ୍ ବ୍ୟୁରୋ

ସିଭି ରମଣ ଗ୍ଲୋବାଲ ୟୁନିଭରସିଟି (ସିଜିୟୁ) ପକ୍ଷରୁ ବିକଶିତ ହୋଇଛି ପ୍ରଥମ କୃତ୍ରିମ ସ୍ୟାଟେଲାଇଟ୍ ‘ସିଜିୟୁସ୍ୟାଟ୍-୧’। ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ସ୍ୟାଟେଲାଇଟ୍ ଭବେ ଏହାକୁ ଇସ୍ରୋ ପକ୍ଷରୁ ମହାକାଶକୁ ଉତକ୍ଷେପଣ କରାଯିବ। ଜାନୁଆରି ୧୨ ତାରିଖରେ ଇସ୍ରୋର ପିଏସଏଲଭି ସି-୬୨ ରକେଟ ମାଧ୍ୟମରେ ସ୍ୟାଟେଲାଇଟଟି ମହାକାଶକୁ ଯିବ।

୪ ବର୍ଷ ତଳେ ସ୍ୟାଟେଲାଇଟର ଗ୍ରାଉଣ୍ଡ ଷ୍ଟେସନ୍ ସିଜିୟୁର ସ୍ପେସ୍ ସିଷ୍ଟମ୍ ଇଞ୍ଜିନିୟରିଂ ବିଭାଗରେ ସ୍ଥାପନ କରାଯାଇଥିଲା। ବିଶ୍ଵବିଦ୍ୟାଳୟର ପରାମର୍ଶଦାତା ପ୍ରଫେସର ସୁନିଲ କୁମାର ଷଡ଼ଙ୍ଗୀଙ୍କ ସହ ଅନ୍ୟ ପ୍ରଫେସରମାନେ ଇସ୍ରାଏଲର ଟେକନିୟନ ୟୁନିଭରସିଟି ଓ ହେର୍ଜଲିୟା ସାଇନ୍ସ ସେଣ୍ଟର ପରିଭ୍ରମଣ କରି କିପରି ସ୍ୟାଟେଲାଇଟ ତିଆରି କରାଯିବ ସେ ବିଷୟରେ ଅନ୍ଵେଷଣ କରିଥିଲେ। ପରବର୍ତୀ ସମୟରେ ସିଜିୟୁର ୧୧ ଜଣ ଅଧ୍ୟାପକ ଏବଂ ୨୦ ଜଣ ଛାତ୍ରଙ୍କୁ ହାଇଦ୍ରାବାଦରେ ସ୍ୟାଟେଲାଇଇଟ ନିର୍ମାଣ କରାଯିବାର ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲାI ବିଗତ ୪ ବର୍ଷ ଭିତରେ ‘ସିଜିୟୁସ୍ୟାଟ୍-୧’ କୁ ପ୍ରସ୍ତୁତ କରାଯାଇଛି।

“ଭାରତରେ ସ୍ୟାଟେଲାଇଟ ବ୍ୟବସାୟ ପ୍ରାଇଭେଟାଇଜେସନ ହେଲା ପରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି କ୍ଷେତ୍ରରେ ଉଦ୍ୟୋଗୀ ହେବା ବାଟ ଖୋଲିଛି। ଏହାକୁ ଦୃଷ୍ଟିରେ ରଖ୍ ସିଜିୟୁ ତରଫରୁ ସ୍ପେସ୍ ସିଷ୍ଟମ୍ ଇଞ୍ଜିନିୟରିଂ ବିଭାଗକୁ ଖୋଲାଯାଇଛି। ଏଠାରେ ଛାତ୍ରଛାତ୍ରୀମାନଙ୍କୁ ସ୍ୟାଟେଲାଇଟ ନିର୍ମାଣ ଏବଂ ତାର ଟ୍ରାକିଂ, ଇମେଜ ପ୍ରୋସେସିଂ ଉପରେ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି”, କହିଛନ୍ତି ସି. ଭି. ରମଣ ବିଶ୍ୱବିଦ୍ୟାଳୟର ଅଧକ୍ଷ ସଂଜୀବ କୁମାର ରାଉତ।

ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ଏହି ସ୍ୟାଟେଲାଇଟ ପ୍ରଶିକ୍ଷଣରେ ଯେଉଁ ଛାତ୍ରଛାତ୍ରୀମାନେ ଭାଗ ନେବେ ସେମାନେ ଭବିଷ୍ୟତରେ ସ୍ୟାଟେଲାଇଟ୍ ରିସର୍ଚ୍ଚ ଓ ଇନୋଭେସନରେ ଅନେକ କାମ କରିପାରିବେ ଏବଂ ବିଭିନ୍ନ ପ୍ରକାର ଇମେଜ ଡାଟା ଏନାଲିସିସ କରିକି ସେମାନେ ବ୍ୟବସାୟିକ ସ୍ତରରେ ମଧ୍ୟ ନିଜର ଷ୍ଟାର୍ଟଅପ ଆରମ୍ଭ କରିପାରିବେ।”

‘ସିଜିୟୁସ୍ୟାଟ୍-୧’ ମହାକାଶର ଲୋ ଆର୍ଥ ଅର୍ବିଟରେ (୪୮୦-୫୦୫ କିଲୋମିଟର) କକ୍ଷପଥରେ ଅବସ୍ଥାପିତ ହୋଇ ୧୫ ଜାନୁଆରି ୨୦୨୬ରୁ ସିଗନାଲ୍ ଦେବା ଆରମ୍ଭ କରିବ।

ଭବିଷ୍ୟତରେ ସିଜିୟୁ ଦ୍ଵାରା ଅତ୍ୟାଧୁନିକ ଟେକ୍ନୋଲୋଜି ଆଧାରରେ ଆଉ ଦୁଇଟି ସ୍ୟାଟେଲାଇଟ ନିର୍ମାଣ କରିବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି।

Tags: #CGUSAT1 #CVRamanUniversity #Satellite #ISRO #SpaceScience

Comment