ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଲଞ୍ଚ କରିବାକୁ ଯାଉଛି ଇନସାଟ୍-୩ଡିଏସ୍ ସାଟେଲାଇଟ୍। ଏହା ଦ୍ଵାରା ପାଣିପାଗ ସମ୍ବନ୍ଧୀୟ ସୂଚନା ଜାଣିବା ଆହୁରି ସହଜ ହେବ। ଏହା ଇନସାଟ୍ ସିରିଜର ସବୁଠୁ ଅତ୍ୟାଧୁନିକ ସାଟେଲାଇଟ୍ ହେବାକୁ ଯାଉଛି।

ଇନସାଟ୍-୩ଡିଏସ୍ ସାଟେଲାଇଟକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଶନିବାର ଅପରାହ୍ଣ ୫ଟା ୩୫ରେ ଉତକ୍ଷେପଣ କରାଯିବ। ଏହି ସାଟେଲାଇଟକୁ ଜିଏସଏଲଭି-ଏଫ୧୪ ରକେଟ ମାଧ୍ୟମରେ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ ଅର୍ବିଟରେ (ଜିଟିଓ) ଅବସ୍ଥାପିତ କରାଯିବ।  

ଇସ୍ରୋର ସୂଚନା ଅନୁସାରେ ଇନସାଟ୍-୩ଡିଏସ୍ ସାଟେଲାଇଟର ଓଜନ ୨,୨୭୪ କିଲୋଗ୍ରାମ। ଏଥିରେ ପୃଥିବୀର ପାଣିପାଗ ବାବଦରେ ଅନୁଧ୍ୟାନ କରିବା ପାଇଁ ଅତ୍ୟାଧୁନିକ କ୍ୟାମେରା ଓ ସେନ୍ସର ଲଗାଯାଇଛି। ଏହାସହ ସାଟେଲାଇଟରେ ୬ଟି ଚ୍ୟାନେଲ ଇମେଜର ଓ ୧୯ଟି ଚ୍ୟାନେଲ ସାଉଣ୍ଡର ଓ ଅନ୍ୟାନ୍ୟ ପାଣିପାଗ ଉପକରଣ ଲାଗିଛି।

ଏହି ମିଶନ ପାଇଁ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ଅନୁଦାନ ଦିଆଯାଇଛି। ସାଟେଲାଇଟି କାର୍ଯ୍ୟକ୍ଷମ ହେବା ପରେ ବର୍ଷା, ଖରା, ତୁଷାରପାତ ଏବଂ ସମୁଦ୍ର ତଥା ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ସୂଚନା ଓ ଗବେଷଣା ପାଇଁ ବ୍ୟବହୃତ ହେବ। ଭାରତୀୟ ପାଣିପାଗ ବିଭାଗ ତଥା ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି ଭଳି ସଂସ୍ଥାଗୁଡ଼ିକ ପାଇଁ ଏହା କାର୍ଯ୍ୟ କରିବ।

Tags: #ISRO #INSAT-3DSMission #GSLVRocket #Meteorology #ScienceandTechnology #India

Comment