ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲାନି କେରଳ ପୋଲିସ। କେରଳର ସାବରିମାଳା ମନ୍ଦିରକୁ ଯିବାକୁ ଚାହୁଁଥିବା ୧୦ ଜଣ ମହିଳାଙ୍କୁ ପୋଲିସ ଅଧାବାଟରୁ ଫେରାଇ ଦେଇଛି।
ଶନିବାର ସନ୍ଧ୍ୟାରେ ମଣ୍ଡଳା ପୂଜା ପାଇଁ ସାବରିମାଳା ମନ୍ଦିର ଖୋଲାଯାଇଥିଲା। ଏଥିପାଇଁ କେରଳର ସାବରିମାଳା ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି। ତେବେ ୧୦ ଜଣ ମହିଳାଙ୍କୁ ପୋଲିସ୍ ମନ୍ଦିର ନଯିବାକୁ ବାରଣ କରିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ସବୁ ବୟସର ମହିଳା ସାବରିମାଳା ମନ୍ଦିରକୁ ଯାଇ ପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏଠାରେ ଉଲ୍ଲଂଘନ ହୋଇଛି।
କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ୨୦୧୮ ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆଉ ଥରେ ଆବେଦନ ହୋଇଥିଲା। ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ।
ଗତ ଦୁଇ ଦିନ ତଳେ ସାବରିମାଳା ମାମଲାର ବିଚାର କରିବା ପାଇଁ ସୁପ୍ରିମକୋର୍ଟ ୭ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ। ଏହି ମାମଲା ୭ ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ। ପରବର୍ତ୍ତୀ ଶୁଣାଣି ଆସିବା ପର୍ଯ୍ୟନ୍ତ ସବୁ ବର୍ଗର ମହିଳାଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦେବାକୁ ସୁପ୍ରିମକୋର୍ଟ କହିଥିଲେ।